କାହିଁକି ହଠାତ୍ ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’? ଏହା ପଛର କାରଣ କହିଲେ ପାଣିପାଗ ନିର୍ଦ୍ଦେଶିକା

ଓଏଲ୍ ବ୍ୟୁରୋ: ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ବାତ୍ୟା ‘ଦାନା’। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି। ତେବେ ବାତ୍ୟା ଦାନା କାହିଁକି ଦୁର୍ବଳ ହେଲା ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାରୁ ଦାନା କେବଳ ବାତ୍ୟା ସ୍ଥିତିକୁ ଆସିବାପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା।
ଚର୍ଚ୍ଚା ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ବିଳମ୍ବ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା। ବାତ୍ୟା ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା। ଏହାର ଅର୍ଥ ବାତ୍ୟାର ଦୁଇ ପଟେ ଉଭୟ ପୂର୍ବ ଓ ପଶ୍ଚିମ ଦିଗରେ ଦୁଇଟି ଗୁରୁଚାପ ବଳୟ ସୃଷ୍ଟି ହୋଇଥିଲା। ତାହା ଦୁଇ ପଟୁ ବାତ୍ୟା ‘ଦାନା’କୁ ଚାପିଦେଲା। ଏଥିସହ ଗୁରୁଚାପ ବଳୟରୁ ନିର୍ଗତ ହେଉଥିବା ଶୁଷ୍କ ବାୟୁ ‘ଦାନା’ ମଧ୍ୟରେ ପ୍ରବେଶ କଲା। ଏଥିପାଇଁ ବାତ୍ୟା ‘ଦାନା’ ଦୁର୍ବଳ ହୋଇପଡ଼ିବା ସହ ଏହାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା।
ଅପରପକ୍ଷେ ମୁଖ୍ୟତଃ ବାତ୍ୟା ଶକ୍ତିଶାଳୀ ହେଲେ ହିଁ ତାହାର ଆଖି ଦୃଶ୍ୟମାନ ହୋଇଥାଏ। ମାତ୍ର ‘ଦାନା’ ଦୁର୍ବଳ ହୋଇ ପଡ଼ିବାରୁ ତାହାର ଆଖି ବାହାରି ନ ଥିଲା। ଦୁର୍ବଳ ବାତ୍ୟା ସମ୍ପର୍କରେ ପୁର୍ବାନୁମାନ କରିବା ଅଧିକ କଷ୍ଟକର ବୋଲି କହିଛନ୍ତି ଉମାଶଙ୍କର ଦାସ।
ସୂଚନାଥାଉକି, ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ୬ ଘଣ୍ଟା ଲାଗିଥାଏ। ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ସାଢେ ୮ ଘଣ୍ଟା ଚାଲିଥିଲା ।କାରଣ ଗତ ରାତି ୧୨ଟାରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିଥିବା ବେଳେ ସକାଳ ସାଢେ ୮ଟାରେ ସରିଥିଲା ଏହି ପ୍ରକ୍ରିୟା।