Odisha Link
Bridging the Missing Links in Odisha

ଜଳବନ୍ଦୀରେ ୫୭୧ ପରିବାର, କ୍ଷତିଗ୍ରସ୍ତଙ୍କ ସମସ୍ୟା ବୁଝିଲେ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବରେ ପ୍ରବଳ ବର୍ଷା ଅନୁଭୂତ ହେଉଛି। ସମୁଦ୍ର ଜୁଆର ଏବଂ ବର୍ଷା ଯୋଗୁଁ ରାଜନଗର ବ୍ଲକର ସାତଭାୟା ଥଇଥାନ ସ୍ଥଳୀ ଜଳବନ୍ଦୀ ହୋଇପଡିଛି। ୫୭୧ ପରିବାର ପାଣି ଘେରରେ ରହିଛି। ରାଜନଗର, ରାଜକନିକା ଏବଂ ମହାକାଳପଡା ବ୍ଲକର ଭିତତକନିକା ସଲଗ୍ନ ବହୁ ସ୍ଥାନରେ ରାସ୍ତା ଉପରେ ଵଡ଼ ବଡ଼ ଗଛ ଉପୁଡି ପଡିଛି। ସେଠାରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ରହିଥିବା ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ରାସ୍ତାରେ କଟର ସାହାଯ୍ୟରେ ଉପୁଡି ପଡ଼ିଥିବା ଗଛ କାଟି ସଫା କରିଛନ୍ତି। ବର୍ଷା ଜାରି ରହିଥିବାରୁ ଏହି କାର୍ଯ୍ୟ ଟିକେ ବିଳମ୍ବିତ ହେଉଛି।

ବାତ୍ୟା ପରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସ୍ଥିତି ସମୀକ୍ଷା କରିଛନ୍ତି। ହାବେଳିଖଟିରେ ବାତ୍ୟା ସ୍ଥିତି ସମୀକ୍ଷା କରିବା ସହ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ସହ ଭେଟିଛନ୍ତି। ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ଏହା ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି। ବାତ୍ୟା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗତକାଲି ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଥିବାବେଳେ ଆଜି ବାତ୍ୟା ପର ପରିସ୍ଥିତିକୁ ପରଖିଛନ୍ତି।

Leave A Reply

Your email address will not be published.