Odisha Link
Bridging the Missing Links in Odisha

ବାତ୍ୟା ପରେ ବର୍ଷା ଭୟ: ଶନିବାର ସ୍କୁଲ ଛୁଟି ଘୋଷଣା କଲେ ୨ ଜିଲ୍ଲାର ଜିଲାପାଳ

ଓଏଲ୍‌ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଆକଳନ ଅନୁଯାୟୀ ଶନିବାର ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ୨୧ ଟି ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଲଘୁଚାପ ପ୍ରଭାବରେ ଶନିବାର ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାରି ହୋଇଛି ସୂଚନା। ଜିଲ୍ଲାପାଳଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ଆସନ୍ତା କାଲି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏବଂ ବାତ୍ୟା ମୁକାବିଲାରେ ୮୧୨ଟି ବିଦ୍ୟାଳୟକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରାଯାଉଛି। ଏସବୁକୁ ନଜରରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଚି। ସେହିପରି ମୟୁରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାପାଳ ଶନିବାର ଜିଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ଦିଗରୁ ଦକ୍ଷିଣ-ଉତ୍ତର-ଦକ୍ଷିଣ ଦିଗରେ ଅଗ୍ରସର ହେବା ସହିତ ଅବପାତରେ ପରିଣତ ହୋଇ ଶୁକ୍ରବାର ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳକୁ ଛୁଇଁବ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ଶୁକ୍ରବାରରୁ ଶନିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମୟୁରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିଭଳି କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.