Odisha Link
Bridging the Missing Links in Odisha

ଆକୃତି ସ୍ବାଇଁଙ୍କ ପୁସ୍ତକ ‘ବ୍ଲସମିଂ ଏଗେନ୍’ ଉନ୍ମୋଚିତ

ତରୁଣ ପିଢ଼ିର ମାନସିକ ସ୍ବାସ୍ଥ୍ୟ ଏକ ବଡ଼ ଆହ୍ବାନ

ଓଏଲ୍‌ ବ୍ୟୁରୋ: ତରୁଣ ଲେଖିକା ଆକୃତି ସ୍ବାଇଁଙ୍କ ପୁସ୍ତକ ‘ବ୍ଲସମିଂ ଏଗେନ୍’ ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ସୂର୍ଯ୍ୟାଂଶ ସମ୍ମିଳନୀ କକ୍ଷରେ ରବିବାର ସଂଧ୍ୟାରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ଧରିତ୍ରୀର ସମ୍ପାଦକ ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ରାଜନେତା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ପୂର୍ବତନ ସିଇଓ ଡ. ସନ୍ତୃପ୍ତ ମିଶ୍ର। ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଏବଂ ଟିମ୍‌ ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର। କଥାଶିଳ୍ପୀ ତଥା ପ୍ରକାଶନ ସଂସ୍ଥାର ମୁଖ୍ୟ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଲେଖକୀୟ ଅଭିବ୍ୟକ୍ତି ବାଢ଼ିଥିଲେ “ବ୍ଲସମିଂ ଏଗେନ୍’ର ଲେଖିକା ଆକୃତି ସ୍ବାଇଁ।

ନିଜ ଅଭିଭାଷଣରେ ତଥାଗତ ଶତପଥୀ କହିଥିଲେ ଯେ ଓଡ଼ିଶାକୁ ଅନେକ ବାହ୍ୟ ଶାସକ ବହୁ ବିଳମ୍ବରେ ଆସିଛନ୍ତି ବା ଆଦୌ ଆସିନାହାନ୍ତି। ଓଡ଼ିଶା ନିଜର ଇତିହାସକୁ ନେଇ ଯେତିତି ଗୌରବାନ୍ବିତ, ନିଜର ବର୍ତ୍ତମାନକୁ ନେଇ ମଧ୍ୟ ସେତିକି ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଆକୃତିଙ୍କ ପୁସ୍ତକ ବର୍ତ୍ତମାନର ଯୁବପିଢ଼ିଙ୍କ ଲାଗି ଏକ ଉପାଦେୟ ଉପକ୍ରମ ଏବଂ ଏପରି ଏକ ପଦକ୍ଷେପ ନେଇ ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି ବୋଲି ଶ୍ରୀ ଶତପଥୀ କହିଥିଲେ। ସନ୍ତୃପ୍ତ ମିଶ୍ର କହିଥିଲେ ଯେ ତରୁଣ ପିଢ଼ିର ମାନସିକ ସ୍ବାସ୍ଥ୍ୟ ଏକ ବଡ଼ ଆହ୍ବାନ।

ଆକୃତିଙ୍କ ବହିଟି କେବଳ ତରୁଣ ପିଢ଼ିଙ୍କୁ ଉତ୍ସାହିତ କରିବ ତାହା ନୁହେଁ, ବିଫଳତାକୁ ନେଇ ବ୍ୟଥିତ ହେଉଥିବା ସମସ୍ତଙ୍କ ପାଇଁ ଏହା ଏକ ଆଶ୍ବାସନା। ଯୁବ ପିଢ଼ିର ମାନସିକ ସ୍ବାସ୍ଥ୍ୟୃ ବର୍ତ୍ତାମନ ସମୟର ଏକ ବଡ଼ ପ୍ରସଙ୍ଗ ବୋଲି କହିଥିଲେ ପ୍ରତାପ କେଶରୀ ଦେବ। ଆକୃତି ନିଜ ପୁସ୍ତକ ମାଧ୍ୟମରେ ମାନସିକ ସ୍ବାସ୍ଥ୍ୟକୁ ସାମନା କରିବାର ସାହସ ଦେଇଛନ୍ତିି ବୋଲି ସେ କହିଥିଲେ। ନୂଆପିଢ଼ିର ପିଲାମାନଙ୍କୁ ବାପାମା’ମାନେ ଉଚିତ ଭାବରେ ବୁଝିପାରୁନାହାନ୍ତି ବୋଲି କହିଥିଲେ ନିଶିକାନ୍ତ ମିଶ୍ର। ଏ ବହି ତରୁଣ ବର୍ଗ ସମସ୍ୟାକୁ ସାମନାକୁ ଆଣିବା ସହ ଏଥିରୁ ମୁକୁଳିବାର ମଧ୍ୟ ବାଟ ବତାଇଛି ବୋଲି ସେ କହିଥିଲେ।

ଲେଖିକା ସଂପ୍ରତି ସାଇ ଇଣ୍ଟରନାସନାଲ ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ଏହା ତାଙ୍କର ପ୍ରଥମ ପୁସ୍ତକ। ଯୁବ ଓ ଛାତ୍ର ବର୍ଗ ଭୟ, ମାନସିକ ଅବସାଦ ଓ ବ୍ୟକ୍ତିଗତ ପୀଡ଼ାରୁ ମୁକୁଳିବା ପାଇଁ ଏ ପୁସ୍ତକଟି ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। କବି ଡ. ମୃତ୍ୟୁଞ୍ଜୟ ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସମାଜସେବୀ ଲୋରା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଲେଖିକାଙ୍କ ପିତା ପ୍ରଫେସର ପ୍ରଦୀପ୍ତ କୁମାର ସ୍ୱାଇଁ ଓ ଲେଖିକାଙ୍କ ଶିକ୍ଷକ, ସହପାଠୀଙ୍କ ସମେତ ଉତ୍ସବରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଲେଖକ, ପାଠକ ଓ ସମାଜର ବିଭିନ୍ନ ବର୍ଗର ଜଣାଶୁଣା ବ୍ୟକ୍ତିତ୍ବ ଉପସ୍ଥିତ ଥିଲେ।

Leave A Reply

Your email address will not be published.