Odisha Link
Bridging the Missing Links in Odisha

ଆଜି ବଡ଼ଦେଉଳରେ ଦୀପାବଳି, ବଡ଼ଦାଣ୍ଡରେ ଜନସମାଗମ

ଓଏଲ୍‌ ବ୍ୟୁରୋ: ଆଜି ଶୁକ୍ରବାର କାର୍ତିକ ମାସ ଅମାବାସ୍ୟା ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ସାଗର ବିଜେ ନୀତି ଅନୁଷ୍ଠିତ ହେବ। ସେହିପରି ଆଜି ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସମ୍ମୁଖରେ ପୟାଶ୍ରାଦ୍ଧ ଓ ବଡ଼ବଡୁଆ ଡାକିବା ପାଇଁ ଭିଡ଼ ଆରମ୍ଭ କରିଛନ୍ତି। ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟତା ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି।

ଯଦିଓ ଅନେକ ଭକ୍ତ ଗତକାଲି ମଧ୍ୟ ବଡ଼ ବଡୁଆ ଡାକିଥିଲେ ମାତ୍ର ଆଜି ଶ୍ରୀମନ୍ଦିରରେ ଅମାବାସ୍ୟା ହେତୁ ପ୍ରାଚୀନ ପରମ୍ପରା ଅନୁସାରେ ବଡ଼ ବଡୁଆ ଡାକିବା ବିଧି ପାଳିତ ହେବ। ଏ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପଣ୍ଡିତ ମାନେ ପରାମର୍ଶ ଦେଇଥିବା ବେଳେ ସକାଳୁ ସକାଳୁ ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେବାରେ ଲାଗିଛି। ପିତୃପୁରୁଷଙ୍କ ଉଦେଶ୍ୟରେ ଦୀପାବଳି ଦିନ ଦୀପଦାନ ପୟା ଶ୍ରାଦ୍ଧ ତଥା ବଡ଼ବଡୁଆ ଡାକିବା ନେଇ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମକୁ ନଜରରେ ରଖି ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.