ଇସ୍କନର ଅଦିନିଆ ରଥଯାତ୍ରା: ଗଜପତିଙ୍କ ବିରୋଧ ପରେ ସ୍ନାନଯାତ୍ରା ବାତିଲ
ଓଏଲ୍ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ହେଉଥିବାବେଳେ ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ଉପରେ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା। ଚାରିଆଡ଼ୁ ବିରୋଧ ହେବାପରେ ଇସ୍କନ କର୍ତ୍ତୃପକ୍ଷ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ନାନଯାତ୍ରା କାର୍ଯ୍ୟକ୍ରମ ବାତିଲ ନେଇ ଇସ୍କନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୯ ତାରିଖରେ ଯୋଜନା ଥିବା ରଥଯାତ୍ରା ବନ୍ଦ କରିବାକୁ ଇସ୍କନକୁ ଚିଠି ଲେଖିଥିଲେ ଗଜପତି ମହାରାଜା। ଅଦିନରେ ରଥଯାତ୍ରା ଆୟୋଜନକୁ ବିରୋଧ କରି ହ୍ୟୁଷ୍ଟନରେ ଥିବା ଇସ୍କନ ମନ୍ଦିର ଓ ମାୟାପୁରୀ ମୁଖ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ପରମ୍ପରାକୁ ଭଙ୍ଗ କରି ଏଭଳି ଅଦିନରେ ରଥଯାତ୍ରା ପାଳନ କରାଯାଉଥିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ ଗଜପତି।
ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ଓ ବିଧି ଅନୁଯାୟୀ ପାଳନ କରାଯାଏ। ତେଣୁ ହ୍ୟୁଷ୍ଟନ ସହରରେ ନଭେମ୍ବର ୩ ଓ ନଭେମ୍ବର ୯ରେ ହେବାକୁ ଥିବା ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ କହିଥିଲେ ଗଜପତି। ସେହିଭଳି ନାଇଜେରିଆରେ ୨୩ ନଭେମ୍ବରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଗଜପତି ଚିଠି ଲେଖିଛନ୍ତି। ବିଧି ଓ ପରମ୍ପରା ଅନୁଯାୟୀ, ରଥଯାତ୍ରା ପାଳନ କରିବାକୁ ବାରମ୍ବାର ଇସ୍କନ ସହ ଆଲୋଚନା ସରିଛି। ଏହାସତ୍ତ୍ବେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ଅଦିନିଆ ରଥଯାତ୍ରା ପାଳନ ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀ ନାପସନ୍ଦ କରିଛନ୍ତି।