ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା, ସୋମବାର ଛାଡ଼ିଥିଲେ ବିଜେଡି
ଓଏଲ୍ ବ୍ୟୁରୋ: ସରକାରରୁ ଗାଦିଚ୍ୟୁତ ହେବା ପରେ ବିଜୁ ଜନତା ଦଳକୁ ନେଇ ପ୍ରତିଦିନ ଆସୁଛି ନୂଆ କଥା। ବିଜେପି ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ବିଜେଡି ନେତା ଦଳୀୟ କନ୍ଦଳ କଥା କହିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଆସନ୍ତା ୬ ତାରିଖରେ ବିଜେପିରେ ସାମିଲ ହେବେ ସୁନନ୍ଦା ଦାସ। ଆସନ୍ତା ୬ ତାରିଖ ପୂର୍ବାହ୍ନରେ ବିଜେପି ରାଜ୍ୟ ମୁଖ୍ୟାଳୟରେ ସାମିଲ ହେବା ନେଇ ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଅକ୍ଟୋବର ୨୮ରେ ଇସ୍ତଫା ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ୫ ମାସ ହେଲା ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରି ସେ ଦଳ ଛାଡିଥିଲେ। ଏହା ପରେ ସେ ବିଜେଡି ପରାଜୟକୁ ନେଇ ମୁହଁ ଖୋଲିଥିଲେ।
ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ କହିଛନ୍ତି, ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ ବୋଲି ବବି କହୁଥିଲେ। ମୁଁ ହିଁ ଟିକେଟ ଦେବା ଲୋକେ ଓ ମୁଁ ହିଁ ଟିକେଟ କାଟିବା ଲୋକ ବୋଲି ବବି କହିଥିଲେ। ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା। ତେବେ ପ୍ରତିଶ୍ରୁତି ଦେଇ ଟିକେଟ କାଟିଦେଇଥିଲେ।
ସୁନନ୍ଦା ଆହୁରି ମଧ୍ୟ କହିଛନ୍ତି, ଟିକେଟ କଟିବା ପରେ ପାଣ୍ଡିଆନ ଡାକିଥିଲେ, ନବୀନ ନିବାସ ଯାଇଥିଲି। ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଲା। ତେବେ ମନମୁଖୀ ଶାସନ ଓ ମନଇଛା ଟିକେଟ କାଟିବାରୁ ଦଳ ହାରିଲା। ନେତାଙ୍କୁ ଅଣଦେଖାରୁ ବିଜେଡି ହାରିଲା। ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା। ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ। ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି। ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି, ମୁଁ ମଧ୍ୟ ଦେଖାକରି ଆସିଛି ବୋଲି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ କହିଛନ୍ତି।