Odisha Link
Bridging the Missing Links in Odisha

ଜୀବନ କୃଷ୍ଣ ମହାପାତ୍ରଙ୍କ ଜନ୍ମଦିନ ଉପଲକ୍ଷେ ଦୁଇଟି ଗଳ୍ପ ସଂକଳନ ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ବରିଷ୍ଠ କଥାଶିଳ୍ପୀ ଜୀବନ କୃଷ୍ଣ ମହାପାତ୍ରଙ୍କର ୮୬ତମ ଜନ୍ମଦିବସ ଉପଲକ୍ଷେ ସୋମବାର ସଂଧ୍ୟାରେ ତାଙ୍କର ଦୁଇଟି ଗଳ୍ପ ସଂକଳନ “ଅପ୍ରମେୟ ଠାକୁର” ଓ “କୋକିଶିଆଳିର ଘର” ଉନ୍ମୋଚିତ ହୋଇଯାଇଛି। ଏ ଅବସରରେ ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ କହିଲେ ଯେ ଈଶ୍ବରଙ୍କ ପ୍ରତି ଆସ୍ଥା ମଣିଷକୁ ଅଧିକ ଜୀବନମୁଖୀ କରିଛି। ବୈଜ୍ଞାନିକ ହୋଇ ମଧ୍ୟ ଜୀବନ କୃଷ୍ଣ କାହାଣୀରେ ଈଶ୍ବରୀୟ ଚେତନାକୁ ଏକ ନୂଆ ଦିଗ ଦେଇଛନ୍ତି।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାଶିଳ୍ପୀ ସରୋଜିନୀ ସାହୁ କହିଥିଲେ ଯେ ନିସଙ୍ଗତାକୁ ଜୀବନ କୃଷ୍ଣ କାହାଣୀରେ ବେଶ୍‌ ସୁନ୍ଦରଭାବେ ରୂପାୟିତ କରିଛନ୍ତି। ଏକଲା ମଣିଷର ଅନ୍ତର୍ଦ୍ବନ୍ଦ୍ବ ଓ ଉପଲବ୍ଧି ତାଙ୍କ ଗଳ୍ପକୁ ଅଧିକ ସୁନ୍ଦର କରିଛି। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କଥାଶିଳ୍ପୀ ସଦାନନ୍ଦ ତ୍ରିପାଠୀ କହିଥିଲେ ଯେ ଜୀବନ କୃଷ୍ଣ ଯେଉଁ ସବୁ ଚିତ୍ର ଓ ଚରିତ୍ରକୁ ନେଇ କାହାଣୀ ଗଢ଼ିଛନ୍ତି ତାହା ବେଶ୍‌ ଜୀବନ୍ତ ଓ ଅଙ୍ଗେନିଭା ଘଟଣା ପରି ମନେହୁଏ। ଜୀବନ କୃଷ୍ଣଙ୍କ ଗଳ୍ପ କହିବାର କଳା ଓ କାହାଣୀ ଚୟନ ତାଙ୍କ ଗଳ୍ପକୁ ଅନନ୍ୟ କରିଛି।

ନଭେମ୍ବର ୧୨ ତାରିଖରେ କଥାଶିଳ୍ପୀ ଜୀବନ କୃଷ୍ଣ ୮୬ ବର୍ଷରେ ପଦାର୍ପଣ କରୁଥିବାବେଳେ ଆଜିର ଉତ୍ସବରେ ବହୁ ସଂଖ୍ୟାରେ ତାଙ୍କର ପାଠକ, ଲେଖକ, ବନ୍ଧୁ, ସହକର୍ମୀ, ଛାତ୍ରଛାତ୍ରୀ ଓ ପରିବାରବର୍ଗ ଏକାଠି ହୋଇ ଲେଖକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘଜୀବନ କାମନା କରିଥିଲେ। ପେନ୍‌ ଇନ୍‌ ବୁକ୍ସର ମୁଖ୍ୟ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେଇଥିବାବେଳେ କବି ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.