Odisha Link
Bridging the Missing Links in Odisha

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ମତଦାନ ଆରମ୍ଭ

୨୮୮ ବିଧାନସଭା ଆସନ ପାଇଁ ମତଦାନ

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ପ୍ରକ୍ରିୟା। ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ । ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ମେଣ୍ଟ ମହାୟୁତି ଏବଂ କଂଗ୍ରେସ, ଉଦ୍ଧବ ଶିବସେନା ଏବଂ ଶରଦ ପାୱାରଙ୍କ ଏନସିପିର ମହାବିକାଶ ଅଗାଧି ମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର । ଆସନ୍ତା ନଭେମ୍ବର ୨୩ ରେ ହେବଭୋଟ୍ ଗଣନା ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ମୋଟ ୪,୧୩୬ ପାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ଗତ ବିଧାନସଭା ନିର୍ବାଚନ (୨୦୧୯) ତୁଳନାରେ ଏଥର ପ୍ରାର୍ଥୀଙ୍କ ସଂଖ୍ୟା ୨୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ରେ ୩୨୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଚାଲିଥିବା ବେଳେ ଚଳିତ ବର୍ଷ ୪୧୩୬ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ଚଳିତବର୍ଷ ୯,୭୦,୨୫,୧୧୯ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ଏଥିମଧ୍ୟରୁ ୫,୦୦,୨୨,୭୩୯ ଜଣ ପୁରୁଷ ଭୋଟର ଥିବା ବେଳେ ୪,୬୯,୯୬,୨୭୯ ଜଣ ମହିଳା ଭୋଟର ଏବଂ ୬,୧୦୧ ଅନ୍ୟାନ୍ୟ ଭୋଟର ଅଛନ୍ତି । ଏହା ବ୍ୟତୀତ ମୋଟ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୬,୪୧,୪୨୫ ଥିବାବେଳେ ସଶସ୍ତ୍ର ବାହିନୀ ସେବା ଭୋଟରଙ୍କ ସଂଖ୍ୟା ୧,୧୬,୧୭୦ ଅଛନ୍ତି ।

ଭୋଟରଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଏଥର ମତଦାନ କେନ୍ଦ୍ର ମଧ୍ୟ ବୃଦ୍ଧି ପାଇଛି । ନିର୍ବାଚନ ଡ୍ୟୁଟି ପାଇଁ ରାଜ୍ୟ ସରକାରଙ୍କ ପ୍ରାୟ ୬ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.