ମନ୍ତ୍ରୀଙ୍କ ବଡ଼ ବୟାନ: ଜାଗା ହରାଇବେ ଅଯୋଗ୍ୟ ହିତାଧିକାରୀ
ଓଏଲ୍ ବ୍ୟୁରୋ: ଜାଗା ମିଶନ ନେଇ ଆଜି ଆଉ ଏକ ବଡ଼ ଘୋଷଣା ହୋଇଛି। ଜାଗା ମିଶନରେ ଜାଗା ହରାଇବେ ଅଯୋଗ୍ୟ ହିତାଧିକାରୀ। ଜାଗା ମିଶନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଭୁଲ ପ୍ରକ୍ରିୟାରେ LRC ଦେଇଥିଲେ। ଭୁଲ ପ୍ରକ୍ରିୟା ଯୋଗୁଁ ଭୁବନେଶ୍ବର ସହ ଅନ୍ୟ ସହରରେ ସମସ୍ୟା ଦେଖାଯାଉଛି।
ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟ ହିତାଧିକାରୀ ନିଜକୁ ଭୂମିହୀନ ଦର୍ଶାଇ ସରକାରୀ ଜାଗା ମାଡ଼ି ବସିଛନ୍ତି। ଜାଗା ମିଶନରେ ଯୋଡ଼ି ଭୂମି ଅଧିକାର ପ୍ରମାଣପତ୍ର ବି ନେଇଛନ୍ତି। ଏମିତି ଶହ ଶହ ଅଯୋଗ୍ୟ ହିତାଧିକାରୀ ସରକାରଙ୍କ ହାବୁଡ଼ରେ ପଡିଛନ୍ତି। ସେମାନଙ୍କୁ ଖୋଜି ଖୋଜି ତଡ଼ିବେ। ତାଙ୍କ ଜାଗାରେ ଯେଉଁମାନେ ସତରେ ଗରିବ ଆଉ ଯୋଗ୍ୟ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ।
ଯୋଗ୍ୟ ହିତାଧିକାରୀଙ୍କୁ ଜାଗା ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ରେ ଘର ନିର୍ମାଣ କରି ଯୋଗାଇ ଦେବେ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ସର୍ଭେ ଆରମ୍ଭ ହେବ। ପରୀକ୍ଷାମୂଳକ ଭାବେ ପ୍ରଥମେ ୧୯ ବସ୍ତିରୁ ଏହି ସର୍ଭେ ଆରମ୍ଭ ହେବ। ସେଥିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସିର) ୧୭ଟି ବସ୍ତି ଓ କଟକ ମହାନଗର ନିଗମର ୨ଟି ବସ୍ତି ରହିଛି। ଏହି ବସ୍ତିରେ ଯଦି ଜାଗା ମିଶନର ଭୂମି ପ୍ରମାଣପତ୍ର ଫେରାଇ ଆଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇ ଦେବେ। ଯଦି ପ୍ରଥମ ପର୍ଯ୍ୟାୟରେ ସରକାର ସଫଳ ହେବେ, ଆଗକୁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ।