Odisha Link
Bridging the Missing Links in Odisha

ମସଜିଦ ସର୍ଭେକୁ ନେଇ ଥମୁନି ହିଂସା

ଓଏଲ୍‌ ବ୍ୟୁରୋ: ଜାମା ମସଜିଦର ସର୍ଭେକୁ ନେଇ ଉତ୍ତରପ୍ରଦେଶର ସମ୍ବଲ ଅଶାନ୍ତ। ରବିବାରଠୁ ଆରମ୍ଭ ହୋଇଥିବା ହିଂସା ଆଜି ମଧ୍ୟ ଜାରି ରହିଛି। ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ପ୍ରାଣ ହରାଇ ସାରିଲେଣି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମ୍ଭଲ ଏବଂ ତାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଛି। ଦ୍ବାଦଶ ଯାଏ ସମସ୍ତ ସ୍କୁଲ କଜେଜ ବନ୍ଦ ରହିଛି। ଘଟଣାରେ ୨୦ ପୁଲିସ କର୍ମୀ ଆହତ ହୋଇଛନ୍ତି। ହିଂସାକୁ ନେଇ ୨୧ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବଲର ଜାମା ମସଜିଦ୍‌ରେ ସର୍ଭେକୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ବେଳକୁ ବେଳ ବୃଦ୍ଧି ପାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାମା ମସଜିଦ ନିକଟ ଅଞ୍ଚଳକୁ ସିଲ୍ କରିଦେଇଛି। ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ୨୧ଜଣଙ୍କୁ ହେପାଜତକୁ ନେଇଛି ପୁଲିସ। ଯେଉଁଥିରେ ୨ଜଣ ମହିଳା ଅଛନ୍ତି। ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯିବ। ଆହତ ୨୦ ପୁଲିସ କର୍ମୀଙ୍କ ମଧ୍ୟରେ ୪ଜଣ ସିନିୟର ଅଧିକାରୀ ଅଛନ୍ତି। ହିଂସାକୁ ନେଇ ଜାତୀୟ ସୁରକ୍ଷା ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୁଲିସ କହିଛି।

ସୂଚନାଥାଉକି, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ସପ୍ତାହରେ ମସଜିଦର ସର୍ଭେ କରାଯାଇଥିଲା। ଗତକାଲି ଦ୍ୱିତୀୟ ଥର ପାଇଁ ମସଜିଦର ସର୍ଭେ କରିବାକୁ ଟିମ୍‌ ପହଞ୍ଚିଥିଲା। ତେବେ ଲୋକେ ଏହାକୁ ବିରୋଧ କରିଥିଲେ। ପ୍ରକୃତରେ, ଆଡଭୋକେଟ୍ କମିଶନରଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ସକାଳେ ସର୍ଭେ କରିବା ପାଇଁ ପହଞ୍ଚିବା ମାତ୍ରେ ମସଜିଦ ଚାରିପାଖରେ ଭିଡ଼ ଜମିଥିଲା। ସର୍ଭେକୁ ବିରୋଧର କରି ପୁଲିସ ଉପରକୁ ଲୋକେ ପଥର ଫିଙ୍ଗିବା ଆରମ୍ଭ କରିଥିଲା। ଏହର ଜବାବରେ ପୁଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ଏହାପରେ ହିଂସାତ୍ମକ ସ୍ଥିତି ଉପୁଜିଥିଲା।

Leave A Reply

Your email address will not be published.