Odisha Link
Bridging the Missing Links in Odisha

ଗୃହରେ ଗନ୍ଧମାର୍ଦ୍ଦନ ତାତି: ଆନ୍ଦୋଳନକୁ ଓହ୍ଲାଇବି କହିଲେ ଉପମୁଖ୍ୟମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ବଢିଛି ଗନ୍ଧମାର୍ଦ୍ଦନ ଜମି ବିବାଦ। ବଲାଙ୍ଗିର-ବରଗଡ଼ ଜିଲ୍ଲା ସୀମାନ୍ତ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଆଦାନୀ ଗ୍ରୁପ ଜମି କିଣିଛି। ଗୁଜରାଟର ଅହମଦାବାଦସ୍ଥିତ ଆଦାନୀ କର୍ପୋରେଟ୍‌ ହାଉସ ପକ୍ଷରୁ ‘ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ’ ନାଁରେ ସେଠି ଜମି କିଣାଯାଇଛି। ଆଉ ଏହାକୁ ଏନେଇ ଏବେ ତେଜିଛି ରାଜନୀତି। ବିଜେଡି ଏହି ପ୍ରସଙ୍ଗରେ ବିଜେପିକୁ ଘେରିଥିବାବେଳେ, ପାଲଟା ଜବାବ ବି ଦେଇସାରିଛି ଭାରତୀୟ ଜନତା ପାର୍ଟି। ରାଜ୍ୟ ରାଜନୀତି ପରେ ଗୃହରେ ଗନ୍ଧମାର୍ଦ୍ଦନ ତାତି ଦେଖିବାକୁ ମିଳିଛି।

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଏସବୁ ଭିତରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ଆଦାନୀ କିଣିଥିବା ଜମି ପାଇଁ ପୂର୍ବ ବିଜେଡି ସରକାର ଅନୁମତି ଦେଇଥିଲେ। ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ସରକାର ଅନୁମତି ଦେବେନି। ସେମିତି କିଛି ହେଲେ ମୁଁ ଆପଣଙ୍କ ସହିତ ଆନ୍ଦୋଳନକୁ ଓହ୍ଲାଇବି। ଆଦାନୀକୁ କେବେ ବି କାରଖାନା କରିବାକୁ ଦେବୁ ନାହିଁ ବୋଲି ଶୂନ୍ୟକାଳରେ ଆଦାନୀ ଜମି କିଣିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖିଛନ୍ତି।

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହରେ ଗନ୍ଧମାର୍ଦ୍ଧନ ଅଞ୍ଚଳରେ ଆଦାନୀ କମ୍ପାନୀର ଜମି କ୍ରୟ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାପରେ ପ୍ରସଙ୍ଗରେ ବିବୃତି ରଖି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକରେ ଆଦାନୀ ବନୀକରଣ ପାଇଁ ଦିଆଯାଇଛି। ଏ ଅନୁମତି ବିଦାୟୀ ବିଜେଡି ସରକାର ସରକାର ଦେଇଛନ୍ତି। ଗନ୍ଧମାର୍ଦ୍ଧନ ସହ ରାମାୟଣ ଯୁଗର ସଂସ୍କୃତି ଜଡ଼ିତ ହୋଇ ରହିଛି। ଏହି ସଂସ୍କୃତିକୁ ଆମେ କାହାରିକୁ ଭାଙ୍ଗିବାକୁ ଦେବୁ ନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେହିପରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ଶିଳ୍ପ ପ୍ରତିଷ୍ଠା ପାଇଁ ଜଙ୍ଗଲ କରାଗଲେ, ପରିପୂରକ ବନୀକରଣ କରାଯାଏ। ସେହି ଅନୁଯାୟୀ ଉକ୍ତ କମ୍ପାନୀ ବଲାଙ୍ଗିରରେ ଉକ୍ତ ଜମି ନେଇଛି। ଜମିର ଲିଜ ଡିଡ ଅନୁଯାୟୀ ଜମିରେ ବନୀକରଣ ସରିବା ପରେ ତାହାକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବେ। ତେଣୁ ଏଠାରେ ଶିଳ୍ପ ପ୍ରତିଷ୍ଠା ନେଇ ଚାଲିଥିବା ଆଲୋଚନା ଭିତ୍ତିହୀନ। ନିଆଁ ନଥାଇ ପ୍ରସଙ୍ଗରେ ଧୂଆଁ ବାହାରୁଛି ବୋଲି ମନ୍ତ୍ରୀ ସ୍ପଷ୍ଟୋକ୍ତି ରଖିଛନ୍ତି।

Leave A Reply

Your email address will not be published.