Odisha Link
Bridging the Missing Links in Odisha

ରବିବାର ମହାମୁକାବିଲା: ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଏଫ୍‌ସି-ଓଡ଼ିଶା ଏଫ୍‌ସି

ଓଏଲ୍‌ ବ୍ୟୁରୋ: ରବିବାର ଖେଳାଯିବ ଇଣ୍ଡିଆନ୍‌ ସୁପର ଲିଗ୍‌ର ହାଇଭୋଲଟେଜ୍‌ ମୁକାବିଲା। ସୁପରସଣ୍ଡେର ସୁପର ମୁକାବିଲାରେ ମୁହାଁମୁହିଁ ହେବେ ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି। ପଏଣ୍ଟ ଟେବୁଲ ଟପ୍ପର ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ଓଡ଼ିଶା। ଏହି ମ୍ୟାଚ୍‌କୁ ଜିତିବା ସହ ବିଜୟ ଧାରା ବଜାୟ ରଖିବାକୁ ଓଏଫ୍‌ସି ପ୍ରୟାସ କରିବ। ଓଡ଼ିଶା ଏଫ୍‌ସି ଏହାର ଅନ୍ତିମ ମ୍ୟାଚ୍‌ରେ ହାଇଦ୍ରାବାଦ ଏଫ୍‌ସିକୁ ୬-୦ରେ ପରାସ୍ତ କରିଥିଲା।

ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଓଡ଼ିଶା ଏଫ୍‌ସିର ଖେଳାଳି ଦମଦାର ପ୍ରଦର୍ଶନ କରିଥିଲେ। ଦଳର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ହାଇଦ୍ରାବାଦ ବିପକ୍ଷରେ ଦଳର ସମସ୍ତ ଖେଳାଳିଙ୍କ ଅଲରାଉଣ୍ଡ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା। ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍‌ସିର କୋଚ୍‌ ସର୍ଗିଓ ଲୋବେରା କହିଛନ୍ତି, ବେଙ୍ଗାଲୁରୁ ଏକ ଭଲ ଦଳ। ଏହି ଦଳରେ ଅନେକ ତାରକା ଖେଳାଳି ରହିଥିଲେ ମଧ୍ୟ ଆମେ କୌଣସି ଖେଳାଳିଙ୍କ ପାଇଁ ନୁହେଁ ବରଂ ଦଳ ବିପକ୍ଷରେ ରଣନୀତି ପ୍ରସ୍ତୁତ କରିବୁ।

ସେ ଆହୁରି କହିଛନ୍ତି, ଦଳର ପ୍ରମୁଖ ଫରଓ୍ବାର୍ଡ ଖେଳାଳି ରୟ କ୍ରିଷ୍ଣା ଆହତ ଥିବା ବେଳେ ସେ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡିବେ। ଅନ୍ୟତମ ଫରଓ୍ବାର୍ଡ ଡିଏଗୋ ମରିସିଓ ଓଡ଼ିଶା ଆକ୍ରମଣର ନେତୃତ୍ୱ ନେବେ। ଅନ୍ୟ ପକ୍ଷରେ ବେଙ୍ଗାଲୁରୁ ଏହାର ଅନ୍ତିମ ମ୍ୟାଚ୍‌ରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଥିବା ବେଳେ ଏହା ମଧ୍ୟ ଆତ୍ମବିଶ୍ୱାସରେ ରହିଛି।

ଚଳିତ ସିଜନରେ ଆରମ୍ଭରୁ ବେଙ୍ଗାଲୁରୁ ଏଫ୍‌ସି ଭଲ ପ୍ରଦର୍ଶନ କରିବା ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଦଳ ଏଯାଏ ୯ ମ୍ୟାଚ୍‌ ଖେଳି ୬ ବିଜୟ ସହ ୨୦ ପଏଣ୍ଟ ଅର୍ଜନ କରିଛି। ସମାନ ଭାବରେ ଓଏଫ୍‌ସି ୯ ମ୍ୟାଚ୍‌ରୁ ୩ଟି ଲେଖାଏ ବିଜୟ, ପରାଜୟ ଓ ଡ୍ର ସହିତ ୧୨ ପଏଣ୍ଟ ଅର୍ଜନ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷରେ ଓଏଫ୍‌ସି ଏହାର ଅନ୍ତିମ ୨ ମ୍ୟାଚ୍‌ରେ ବିଜୟୀ ହୋଇଛି। ସେହିପରି ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁ୍‌ଥିବାରୁ ଓଏଫ୍‌ସି ଆଉ ଏକ ବିଜୟ ସନ୍ଧାନରେ ରହିବ।

Leave A Reply

Your email address will not be published.