Odisha Link
Bridging the Missing Links in Odisha

ଆତଙ୍କୀ ପନ୍ନୁ ପାଇଁ ଗୁଗୁଲକୁ ଚିଠି ଲେଖିଲା କ୍ରାଇମ୍‌ବ୍ରାଞ୍ଚ, ତଦନ୍ତ କରିପାରେ ଏନ୍‌ଆଇଏ

ଓଏଲ୍‌ ବ୍ୟୁରୋ: ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ମେଲ୍‌କୁ ନେଇ ଖୋଳତାଡ଼ କଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍। ମେଲ୍‌ ମାମଲାକୁ ନେଇ ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଅନ୍ୟପଟେ ଆବଶ୍ୟକ ପଡ଼ିଲେ ଏନଆଇଏ ମଧ୍ୟ ମାମଲାର ତଦନ୍ତ କରିପାରେ ବୋଲି କୁହାଯାଇଛି।

ସରିଛି ସର୍ବଭାରତୀୟ ଡିଜି-ଆଇଜିପି ବୈଠକ। ୩ ଦିନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ମଧ୍ୟ ଶେଷ ହୋଇଛି। ହେଲେ ସରିନାହିଁ ଚର୍ଚ୍ଚା। ଭୁବେଶ୍ବରରେ ପ୍ରଥମଥର ପାଇଁ ଡିଜି-ଆଇଜିପି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ଦିନକ ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ବୈଠକ ଭଣ୍ଡୁର କରିବା ପାଇଁ ଭିଡିଓ ଜାରି କରିଥିଲା। ପୁଣିଥରେ ବୈଠକର ଦିନକ ପରେ ଧମକପୂର୍ଣ୍ଣ ମେଲ୍‌ ପଠାଇଥିଲା ପନ୍ନୁ। ଯାହାକୁ ନେଇ ରାଜଧାନୀ ହାଇଆର୍ଲଟରେ ରହିଥିଲା। ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଆକ୍ସନ ମୁଡରେ ରହିଛି।

ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁଙ୍କ ପାଖକୁ ଏକ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା। ମେଲ୍‌ରେ ଏକ ଅଡିଓ ମେସେଜ୍‌ ଆସିଥିଲା। ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ୧ତାରିଖରେ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଥିଲା। ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଅଡିଓରେ କହିଥିଲା ପନ୍ନୁ। ତାର ସତ୍ୟସତା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗୁଗୁଲକୁ ଚିଠି ଲେଖିଛି।

ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାର ଗୁଗୁଲକୁ ଚିଠି ଲେଖିଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ୍। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଇ-ମେଲରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ ପଡ଼ିଲେ ଏନଆଇଏ ମଧ୍ୟ ମାମଲାର ତଦନ୍ତ କରିପାରେ ବୋଲି କୁହାଯାଇଛି।

Leave A Reply

Your email address will not be published.