ଜାତୀୟ ପ୍ରଦୂଷଣ ନିବାରଣ ଦିବସ: ମନେ ପଡ଼େ ଭୋପାଳ ଗ୍ୟାସ୍ ଦୁର୍ଘଟଣା
ଓଏଲ୍ ବ୍ୟୁରୋ: ଆଜି ଜାତୀୟ ପ୍ରଦୂଷଣ ନିବାରଣ ଦିବସ। ଭାରତରେ ପ୍ରତିବର୍ଷ ଡିସେମ୍ବର ୨ ତାରିଖରେ ଏହି ଦିବସ ପାଳନ କରାଯାଏ। ଭୋପାଳ ଗ୍ୟାସ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଏହି ଦିନ ପାଳନ କରାଯାଏ। ୧୯୮୪ ମସିହାରେ ଡିସେମ୍ବର ୨-୩ ତାରିଖ ରାତିରେ ଭୋପାଳ ଗ୍ୟାସ ଦୁର୍ଘଟଣା ଘଟିଥିଲା। ବିଷାକ୍ତ ଗ୍ୟାସ୍ ମିଥାଇଲ୍ ଆଇସୋସିଆନେଟ୍ (MIC) କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଭୋପାଳ ଗ୍ୟାସ ଦୁର୍ଘଟଣାକୁ ସବୁଠୁ ବଡ଼ ଶିଳ୍ପ ପ୍ରଦୂଷଣ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ। ଚଳିତ ବର୍ଷ ଜାତୀୟ ପ୍ରଦୂଷଣ ନିବାରଣ ଦିବସର ଥିମ ରହିଛି, ‘ସ୍ୱଚ୍ଛ ବାୟୁ, ସବୁଜ ପୃଥିବୀ: ସ୍ଥାୟୀ ଜୀବନ ପାଇଁ ଏକ ପଦକ୍ଷେପ’।
ତଥ୍ୟ ଅନୁସାରେ, ୧୯୮୪ ଡିସେମ୍ବର ୨-୩ ତାରିଖ ରାତିରେ ଭୋପାଳ ସ୍ଥିତ କାର୍ବାଇଡ୍ କମ୍ପାନୀରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍ ଗ୍ୟାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପିଥିଲା। ବିଷାକ୍ତ ଗ୍ୟାସ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ବିକଳାଙ୍ଗ ହୋଇଯାଇଥିଲେ। ହଜାର ହଜାର ଲୋକେ ଆଖି, ଶ୍ୱାସ, ଏବଂ ଅନ୍ୟ ସମସ୍ୟାର ଶିକାର ହୋଇଥିଲେ। ତେବେ ଏହି ଘଟଣାକୁ ନେଇ କେନ୍ଦ୍ର ପକ୍ଷରୁ ପ୍ରଭାବିତଙ୍କୁ ଅଧିକ ୭,୮୪୪ କୋଟି ଦେବାକୁ କ୍ୟୁରେଟିଭ୍ ଆବେଦନ କରାଯାଇଥିଲା। ଯାହାକୁ ନେଇ ଏବେବି ସୁପ୍ରିମକୋର୍ଟରେ ମାମଲା ଚାଲିଛି।