ଆଜି ଗୃହରେ ଆଗତ ହେବ ବ୍ୟୟ ମଞ୍ଜୁର ବିଲ୍
ଓଏଲ୍ ବ୍ୟୁରୋ: ଆଜି ବିଧାନସଭା ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍ ପାରିତ ହେବ। ବିଧାନସଭାରେ ୩୯ଟି ବିଭାଗୀୟ ଖର୍ଚ୍ଚଦାବି ଗିଲୋଟିନରେ ଗୃହୀତ ହୋଇଛି। ଗତକାଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅନୁସୂଚତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଗୃହୀତ ହୋଇଥିଲା।
ଏହା ପୂର୍ବରୁ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ଗୃହୀତ ହୋଇଯାଇଛି। ଆଜି ଗୃହରେ ମୁଖ୍ୟମନ୍ତ୍ରୀ ବ୍ୟୟମଞ୍ଜୁରି ବିଧେୟକ ଆଗତ ହେବ।
ସୂଚନା ଅନୁସାରେ, ଗତ ୨୬ ତାରିଖରୁ ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିଥିଲେ।