ପୋଲାଭରମ ପ୍ରସଙ୍ଗ: ନବୀନଙ୍କ ବୟାନ ପରେ ଆଇନ ମନ୍ତ୍ରୀଙ୍କ କଡ଼ା ଜବାବ..
ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ଲାଗି ରହିଛି ପୋଲାଭରମ୍ ବିବାଦ। କେନ୍ଦ୍ରୀୟ ବଜେଟ ଉପସ୍ଥାପନା କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶରେ ଶୀଘ୍ର ପୋଲାଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଯିବ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ବିବାଦ ବଢ଼ିବାରେ ଲାଗିଛି। ଏସବୁ ଭିତରେ ବିଧାନସଭା ଶୀତ ଅଧିବେଶନରେ ପୋଲାଭରମ୍ ବିବାଦ ଜାରି ରହିଛି। ଆଜି ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖାଦେଇଛି। ହଟ୍ଟଗୋଳ କାରଣରୁ ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ ରଖାଯାଇଥିଲା।
ଗୃହରେ ପୋଲାଭରମ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ। ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ। ଏହା ପରେ ଗୃହ ମୁଲତବୀ ରଖାଯାଇଥିଲା। ପୋଲାଭରମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କହିଛନ୍ତି, ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢେ଼ଇ କରୁଥିଲା। ଆଉ ଆଗକୁ ବି ଲଢେଇ ଜାରି ରଖିବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।
ପୋଲାଭରମ ପ୍ରସଙ୍ଗରେ ନବୀନଙ୍କୁ ଆଇନ ମନ୍ତ୍ରୀଙ୍କ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, କିଏ କେତେ ବାଟ ଲଢେଇ କରୁଥିଲା, ୨୪ ବର୍ଷର ଇତିହାସ ବହୁତ ଲମ୍ବା ଅଛି। ତେଣୁ ଲଢେଇ କେଉଁଠି, କେମିତି କରୁଥିଲେ, ସେ କଥା ଖୋଲି ଦେଲେ ଅସୁବିଧା ହେବ। ସେ ଗୁମର ଖୋଲିଲେ କିଛି ଲୋକ ରାଜନୀତିରୁ ସନ୍ନ୍ୟାସ ନେଇଯିବେ। ନହେଲେ କିଛି ଲୋକ କାହାକୁ ମୁହଁ ଦେଖାଇ ପାରିବେନି।
ଓଡ଼ିଶାବାସୀଙ୍କ ସ୍ବାର୍ଥ ଲାଗି ବିଜେପି ଲଢେଇ କରିବାକୁ ଆଗକୁ ଆସିଛି। ଓଡ଼ିଶାର ସ୍ବାର୍ଥ ପାଇଁ ଯାହା ଆବଶ୍ୟକତା ଅଛି, ବିଜେପି ସରକାର ନିଶ୍ଚିତ କରିବ। ୨୪ ବର୍ଷର ଇତିହାସ ଅନୁଶୀଳନ କଲେ ବିଜେଡି ସରକାରର ନଗ୍ନ ଚିତ୍ର ଆଗକୁ ଆସିବ। ଓଡ଼ିଶାର କେତେ ସ୍ବାର୍ଥ ସୁରକ୍ଷିତ ହୋଇଛି ତାହା ଲୋକଙ୍କ ଆଗକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି।