ରାଜ୍ୟରେ ବଢ଼ୁଛି ମଦ ବିକ୍ରି, ବରଗଡ଼ ଓ ଗଞ୍ଜାମରୁ ଆସିଛି ସର୍ବାଧିକ ରାଜସ୍ବ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଦିନକୁ ଦିବ ବୃଦ୍ଧି ପାଇବାରେ ଲାଗିଛି ବିଦେଶୀ ମଦ ଓ ଦେଶୀ ମଦ ବିକ୍ରି। ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହରେ ମନ୍ତ୍ରୀ କହିଛନ୍ତି, ଗତ ବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ବିଦେଶୀ ମଦ ବିକ୍ରି ହୋଇଛି।
ବରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨୪ କୋଟି ୯୯ ଲକ୍ଷର ଅବକାରୀ ରାଜସ୍ବ ମିଳିଛି। ଦ୍ବିତୀୟରେ ରହିଛି ଗଞ୍ଜାମ ଜିଲ୍ଲା ଯେଉଁଠି ୯୬ ଲକ୍ଷ ୧୦ କୋଟି ଟଙ୍କାର ଅବକାରୀ ରାଜସ୍ବ ଆୟ ହୋଇଛି। ବର୍ତ୍ତମାନ ଓଡ଼ିଶାର ଅବକାରୀ ରାଜସ୍ୱ ମଧ୍ୟ ବଢି ୨୦୨୩-୨୪ରେ ୭ ହଜାର ୨୧୬ କୋଟି ୯୯ ଲକ୍ଷରେ ପହଞ୍ଚିଛି।
୨୦୨୨-୨୩ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲକ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲକ ଲିଟର ବିକ୍ରି ହୋଇଛି। ସେହିପରି ଦେଶୀ ମଦର ମଧ୍ୟ ବଢିଛି ଚାହିଦା। ୨୦୨୨-୨୩ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି।