ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ କଡ଼ା ଚେତାବନୀ
ବଦଳି ହୋଇଥିବା ସ୍ଥାନରେ ଯୋଗ ନ ଦେଲେ ନିଲମ୍ବନ
ଓଏଲ୍ ବ୍ୟୁରୋ: ଓଏଏସ ଅଧିକାରୀଙ୍କୁ ପାଇଁ କଠୋର ହେଲେ ରାଜ୍ୟ ସରକାର । ଯେଉଁ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଉଛି ସେମାନେ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆସନ୍ତା ୧୦ ତାରିଖ ମଧ୍ୟରେ ଯଦି ବଦଳି ହୋଇଥିବା ତଥା ନୂଆ ଦାୟିତ୍ବ ମିଳିଥିବା ଓଏଏସ ଅଧିକାରୀ ନୂଆ ସ୍ଥାନରେ ଯୋଗ ନଦିଅନ୍ତି ତେବେ ୧୧ ତାରିଖରୁ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ସରକାର । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏଏସ ଅଫିସରମାନଙ୍କର ବଡ଼ ଧରଣର ବଦଳି କରାଯାଇଥିଲା, କିନ୍ତୁ ବଦଳି ସତ୍ତ୍ୱେ ଅନେକ ଓଏଏସ ଅଧିକାରୀ ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି । ପୂର୍ବପରି ନିଜର ସେଇ ପୂର୍ବ ସ୍ଥାନରେ କାର୍ଯ୍ୟ କରି ଆସୁଛନ୍ତି । ଯେଉଁ କାରଣରୁ ସେମାନଙ୍କ ଦରମା ବନ୍ଦ କରିବାକୁ ଗତ ୩ ତାରିଖରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।
ଯେଉଁ ଓଏଏସ ଅଧିକାରୀମାନେ ଭୁବନେଶ୍ୱରରେ ବିଭାଗୀୟ ଟ୍ରେନିଂରେ ଅଛନ୍ତି ସେମାନେ ଟ୍ରେନିଂ ସରିବା ମାତ୍ରେ ତୁରନ୍ତ ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି । ତେଣୁ ୧୦ ସୁଦ୍ଧା ଯେଉଁମାନେ ଯୋଗ ନ ଦେବେ ୧୧ ତାରିଖରୁ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।