ଦିଲ୍ଲୀର ୪୦ରୁ ଅଧିକ ସ୍କୁଲ ଉଡ଼ାଇଦେବାକୁ ଧମକ ଦେଲା ଦୁର୍ବୃତ୍ତ, ରଖିଛି ଏଭଳି ଦାବି
ଓଏଲ୍ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଆତଙ୍କ। ୪୦ରୁ ଅଧିକ ସ୍କୁଲକୁ ବୋମାରେ ଉଡ଼ାଇବାକୁ ପୁଣିଥରେ ମିଳିଲା ଧମକ। ବିଭିନ୍ନ ସ୍କୁଲକୁ ମେଲ୍ ଯୋଗେ ମିଳିଛି ଧମକ। ମେଲ୍ରେ ଉଲ୍ଲେଖ ରହିଛି ଯେ ସ୍କୁଲ ପରିସରରେ ବୋମା ଲଗାଯାଇଛି। ଯଦି ଟଙ୍କା ଦାବି ପୂରଣ ନକର ତେବେ ସ୍କୁଲକୁ ବୋମାରେ ଉଡ଼ାଇ ଦିଆଯିବ। ଇମେଲ୍ ପଠାଇଥିବା ବ୍ୟକ୍ତି ଜଣକ ୩୦ ହଜାର ଡଲାର ଦାବି କରିଛି। ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ ସ୍କୁଲକୁ ଖାଲି କରି ଦିଆଯାଇଛି। ଆଉ ପୁଲିସ ପକ୍ଷରୁ ଛାନଭିନ୍ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ସ୍କୁଲରୁ କିଛି ବି ସନ୍ଦିଗ୍ଧ ଜିନିଷ ଠାବ କରାଯାଇ ନାହିଁ।
ଦିଲ୍ଲୀ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇମେଲ୍ରେ ଦୁର୍ବୃତ୍ତ ଜଣକ କହିଛି ଯେ ସ୍କୁଲରେ ଛୋଟ ଛୋଟ ବୋମା ଲୁଚେଇକି ଲଗା ଯାଇଛି। ଏଥିରେ ଘର ଉଡ଼ିବନି। ହେଲେ ଲୋକେ ଆହତ ହେବେ। ଯଦି ମୋତେ ୩୦ ହଜାର ଡଲାର ନମିଳିଲା ତେବେ ବିସ୍ପୋଟ କରିଦେବି। ସକାଳୁ ପିଲାମାନେ ସେମାନଙ୍କ କ୍ଲାସ ଥିବାରୁ ବିଦ୍ୟାଳୟରେ ପହଞ୍ଚିଥିଲେ। ତେବେ ଧମକ ଖବର ସାମ୍ନାକୁ ଆସିବା ପରେ ପିଲାମାନଙ୍କୁ ପ୍ରଥମେ ଘରକୁ ପଠାଯାଇଥିଲା। ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଥାଉକି, ଦିଲ୍ଲୀର ସ୍କୁଲ, ବିମାନବନ୍ଦର, ହୋଟେଲ ଏବଂ ଅନ୍ୟାନ୍ୟ ସ୍ଥାନରେ ବୋମା ଧମକର ଖବର ଥମୁନି। କିଛି ଦିନ ପୂର୍ବରୁ, ଦିଲ୍ଲୀର ରୋହିଣୀର ଏକ ଘରୋଇ ବିଦ୍ୟାଳୟରେ ବୋମା ଧମକ ଥିବା ଏକ ଇମେଲ ଆସିଥିଲା। ଏହା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗର ଏକ ଟିମ୍ ସ୍କୁଲ କ୍ୟାମ୍ପସରେ ପହଞ୍ଚି ଯାଞ୍ଚ କରିଥିଲେ। ତେବେ ଏହା ଗୁଜବ ବୋଲି ଜଣାପଡିଥିଲା।