କଟକରେ ଶ୍ରମିକଙ୍କ ମୃତ୍ୟୁ: ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: କଟକ ବିଡାନାସୀରେ ଡ୍ରେନ ନିକଟ କାନ୍ଥ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଶ୍ରମିକ ଗୁରୁତର ହୋଇ ପଡ଼ିଥିବା ଜଣା ପଡିଥିଲା। ସିଏମସି ପକ୍ଷରୁ କରାଯାଉଥିଲା ଏହି ଡ୍ରେନ କାମ। ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଛି କାରଣ ଅସ୍ପଷ୍ଟ ରହିଥିବାବେଳେ ଏହି ଘଟଣା ନେଇ ପୁଲିସ ଅଧିକ ତଦନ୍ତ ଜାରି କରିଛି।
ବିଡାନାସୀରେ ଡ୍ରେନ ନିର୍ମାଣ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଅତିରିକ୍ତ କମିସନରଙ୍କ ନେତୃତ୍ବରେ ୩ ଜଣିଆ କମିଟି ଗଠନ ହୋଇଛି। ତଦନ୍ତ କରି ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସିଏମ୍ସି କମିଶନର ଅନାମ ଚରଣ ପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, କଟକ ବିଡାନାସୀରେ ଡ୍ରେନ ନିର୍ମାଣ ମୋଟ ୫ ଜଣ ଶ୍ରମିକ କାମ କରୁଥିଲେ। କାର୍ଯ୍ୟସ୍ଥଳୀରେ କୌଣସି ଠିକାଦାର କିମ୍ବା ଅଧିକାରୀଙ୍କର ଉପସ୍ଥିତି ନଥିବା ଜାଣିବାକୁ ମିଳିଛି। ଡ୍ରେନ ନିକଟରେ ବିପଦସଙ୍କୁଳ ଏକ କାନ୍ଥ ରହିଥିଲା। ଯାହା ଖସିପଡ଼ିବାରୁ ସମୀକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।