ରାଜନୈତିକ ଥଇଥାନ ବନ୍ଦ କଲେ ରାଜ୍ୟ ସରକାର
ଓଏଲ୍ ବ୍ୟୁରୋ: ଆଉ ଦିନ କେଇଟା ପରେ ଓଡ଼ିଶାରେ ବିଜେପି ସରକାରର ଶାସନକୁ ୬ ମାସ ପୁରିବ। ହେଲେ ଏଯାଏ ବିଭିନ୍ନ ବୋର୍ଡ ଓ ନିଗମ ପାଇଁ ଅଧ୍ୟକ୍ଷ ପୂରଣ ହୋଇପାରି ନାହିଁ। କାହାକୁ କେଉଁ ନିଗମରେ ଥଇଥାନ କରି ଦଳ ପୁରସ୍କୃତ କରିବ ତାକୁ ନେଇ ବିଜେପି ରାଜ୍ୟ ନେତୃତ୍ବଙ୍କ ଅଙ୍କ କଷା ଗଡି ଗଡି ଚାଲିଛି। ଫଳରେ ଦୀର୍ଘ ଦିନ ହେଲାଣି ନିଗମ ଅଧ୍ୟକ୍ଷ ପଦ ପୁରଣ ହେଉ ନଥିବାରୁ କାମ ଆଗକୁ ବଢିପାରୁନି। ଏସବୁ ମଧ୍ୟରେ ଆସିଛି ବଡ଼ ଖବର। ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଚିଠି ଯାରି ହୋଇଛି। ଯେଉଁଥିରେ ଉଲ୍ଲେଖ ରହିଛି ବିଭିନ୍ନ ନିଗମ, ବିଭାଗରେ ରାଜନୈତିକ ଥଇଥାନ ବନ୍ଦ କରାଯାଇଛି।
ପ୍ରଥମ ଥର ପାଇଁ ସରକାରକୁ ଆସିବା ପରେ କାହାକୁ କେଉଁ ନିଗମରେ ଥଇଥାନ କରି ଦଳ ପୁରସ୍କୃତ କରିବ ତାକୁ ନେଇ ବିଜେପି ରାଜ୍ୟ ନେତୃତ୍ବ ତାଲିକା ପ୍ରସ୍ତୁତ କରୁଥିବା ବେଳେ ଏଭଳି ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଚିଠିରେ ଉଲ୍ଲେଖ ରହିଛି ଯେ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟରେ ରାଜନୈତିକ ନିଯୁକ୍ତିକୁ ରଦ୍ଦ କଲେ ରାଜ୍ୟ ସରକାର। ଗତ ଜୁନ୍ ୨୬ ପରେ ସମସ୍ତ ରାଜନୈତିକ ନିଯୁକ୍ତିକୁ ରଦ୍ଦ କରିଛନ୍ତି ସରକାର। ଗତ ୨୬ ତାରିଖରେ ଆରଆଇଟିରେ ନିଯୁକ୍ତିକୁ ବନ୍ଦ କରିଥିଲା ସାଧାରଣ ପ୍ରଶାସନ ବିଭାଗ।
ରାଜ୍ୟରେ ୩୭ଟି ନିଗମ ରହିଛି। ସାହିତ୍ୟ ଏକାଡେମି, ସଙ୍ଗୀତ ନାଟକ ଏକାଡେମି, ପରି ଅନେକ ଏକାଡେମି ରହିଛି। ମହିଳା କମିଶନ, ଭିନ୍ନକ୍ଷମ କମିଶନଠୁ ଆରମ୍ଭ କରି ସୂଚନା କମିଶନ ପରି ଅନେକ କମିଶନ ରହିଛି। ଯୋଜନା ବୋର୍ଡ ପରି ଅନେକ ବୋର୍ଡ ବି ରହିଛି। ଜିଲ୍ଲା ଯୋଜନା ବୋର୍ଡକୁ ଛାଡି ୨୩ଟି ଏସଡିସି ବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଛି। ଏସବୁ ପଦରେ କିଏ ବସିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା।