ଲୋକଙ୍କ ଘରେ ରହିବେ ଅତିଥି, ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ଉପମୁଖ୍ୟମନ୍ତ୍ରୀ କହିଲେ ଏମିତି..
ଓଏଲ୍ ବ୍ୟୁରୋ: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏଥର ହୋମ ଷ୍ଟେ ବ୍ୟବସ୍ଥା କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ହେବ ହୋମ ଷ୍ଟେ ବ୍ୟବସ୍ଥା କରାଯିବ। ଲୋକଙ୍କ ଘରେ ରହିବେ ଅତିଥି। ଅନଲାଇନ ଆବେଦନରେ ଅତିଥିଙ୍କୁ ରଖିହେବ। ପ୍ରବାସୀ ଭାରତୀୟଙ୍କ ପାଇଁ ୩୦୦ ରୁମ୍ ପ୍ରସ୍ତୁତ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ସୂଚନା ଅନୁସାରେ, ଗତକାଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଭାରତୀୟ ଦିବସର ପ୍ରସ୍ତୁତି ସମୀକ୍ଷା କରିଥିଲେ। ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି। ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ବ ଆରୋପ କରୁଛନ୍ତି। ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ବ ଦରବାରରେ ଓଡିଶାର ଭାବମୂର୍ତ୍ତୀକୁ ଉଜ୍ଜଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ବିଶେଷକରି ସହରର ସ୍ବଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଭୁବନେଶ୍ବରର ସ୍ବଚ୍ଛତା ଅନ୍ତର୍ଜାତୀୟ ସ୍ତରର ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ସ୍ବଚ୍ଛତା ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହିତ ଏହି ଉତ୍ସବ ସହିତ ସ୍ଥାନୀୟ ଲୋକଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ମଧ୍ୟ ସେ କହିଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ବିତୀୟ ଦିନ ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
କାର୍ଯ୍ୟକ୍ରମରେ ‘Unraveling India’s Best Kept Secret’ ଏବଂ ‘Odisha – the Land of Opportunities’ ଆଦି ବିଷୟ ଉପରେ Plenary Session ଅନୁଷ୍ଠିତ ହେବ। ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଓଡିଶାର ଭିଜନକୁ ମଧ୍ୟ ପ୍ରଦର୍ଶନ କରାଯିବ।