ଉପେନ୍ଦ୍ର ପ୍ରସାଦ ମହଲାଙ୍କ “ଇନୋଭେଟିଭ୍ ନ୍ୟୁଜମେକ୍ରସ୍ ବ୍ଲୁପ୍ରିଣ୍ଟ ଫର ସକ୍ସେସ୍” ଉନ୍ମୋଚିତ
ଓଏଲ୍ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ବହି ପର୍ବରେ ସାମିଲ ହେଲା ଇଂରାଜୀ ପୁସ୍ତକ “ଇନୋଭେଟିଭ୍ ନ୍ୟୁଜମେକ୍ରସ୍ ବ୍ଲୁପ୍ରିଣ୍ଟ ଫର ସକ୍ସେସ୍”। ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଉପେନ୍ଦ୍ର ପ୍ରସାଦ ମହଲାଙ୍କ ଦ୍ଵାରା ରଚିତ ଇଂରାଜୀ ପୁସ୍ତକ “ଇନୋଭେଟିଭ୍ ନ୍ୟୁଜମେକ୍ରସ୍ ବ୍ଲୁପ୍ରିଣ୍ଟ ଫର ସକ୍ସେସ୍” ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ପରିସରରେ ଥିବା ପେନ୍ ଇନ୍ ବୁକ୍ସ ଷ୍ଟଲରେ ଉନ୍ମୋଚିତ ହୋଇଯାଇଛି।
ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରମେୟ ଓ ନ୍ୟୁଜ-୭ ଗ୍ରୁପ୍ ଏଡିିଟର ଗୋପାଳ କୃଷ୍ଣ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ କଥାଶିଳ୍ପୀ ଭୀମ ପୃଷ୍ଟି ଯୋଗ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ କଥାଶିଳ୍ପୀ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।
ପୁସ୍ତକ ଉନ୍ମୋଚନ ଅବସରରେ ପ୍ରମେୟ ଓ ନ୍ୟୁଜ-୭ର ଗ୍ରୁପ୍ ଏଡିଟର କହିଥିଲେ, ଖବରକାଗଜ କେବେ ବନ୍ଦ ହେବ ନାହିଁ। ଏହା ବନ୍ଦ ହେବା ଅସମ୍ଭବ। ଯେତିକି ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ଆସିବ ଖବର କାଗଜ ସେତେ ସୁଦୃଢ଼ ହେବ ବୋଲି ସେ କହିଥିଲେ। ଏଥିସହିତ କହିଥିଲେ ଯେ ଏଭଳି ପୁସ୍ତକ ସମ୍ଭବତଃ କେହି ଲେଖି ନାହାନ୍ତି। ଇଲେକ୍ଟ୍ରୋନିକ ମିଡିଆ, ସୋସିଆଲ ମିଡିଆ ଏବଂ ପ୍ରିଣ୍ଟ ମିଡିଆର ଅନେକ ଦିଗକୁ ଆଧାର କରି ଏହି ପୁସ୍ତକ ଲେଖା ଯାଇଛି। ନୂଆ ପିଢ଼ିର ସାମ୍ବାଦିକତା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ବହୁତ ଉପାଦେୟ ହେବ।
ସେହିପରି ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖକ ଭୀମ ପୃଷ୍ଟି ତାଙ୍କ ସାମ୍ବାଦିକତା ଜୀବନ ବିଷୟରେ ଆଲୋଚନା କରିବା ସହିତ ସାମ୍ବାଦିକତା କିଭଳି ଲେଖିବା ଲାଗି ପ୍ରେରଣା ଦେଇଥିଲା ତାହା ଉପରେ ଆଲୋକପାତ କରିଥିଲେ। ସୋସିଆଲ ମିଡିଆ ଯୁଗରେ ପ୍ରିଣ୍ଟ ମିଡିଆ ମୁଣ୍ଡ ଟେକି ଛିଡ଼ା ହୋଇଛି। ପ୍ରିଣ୍ଟ ମିଡିଆ ଖବର ପଢ଼ିଲେ ମଣିଷର ମସ୍ତିଷ୍କ ପ୍ରଭାବିତ ହେବ ଓ କିଛି ନୂଆ କରିବା ଲାଗି ଚିନ୍ତା ଉଦ୍ରେକ କରିବ ବୋଲି ଲେଖକ ଭୀମ ପୃଷ୍ଟି କହିଥିଲେ।
ଉନ୍ମୋଚିତ ପୁସ୍ତକର ଲେଖକ ଉପେନ୍ଦ୍ର ପ୍ରସାଦ ମହଲା ପୁସ୍ତକର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ସାମ୍ବାଦିକତା ଯଦି ସତ୍ୟ, ଦୃଢ଼ ଏବଂ ନିରପେକ୍ଷ ନହୁଏ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ। ଏହି ପୁସ୍ତକ ସାମ୍ବାଦିକ, ସାମ୍ବାଦିତକା ପଢ଼ୁଥିବା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଲେଖକଙ୍କୁ ସାମ୍ବାଦିକତାର ବିଭିନ୍ନ ଦିଗ ବିଷୟରେ ସଚେତନତା କରାଇବ। ସେହିପରି ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କାରର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ, ଏହି ପୁସ୍ତକ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ବିଭାଗରେ ଶହ ଶହ ପୁସ୍ତକ ଲେଖାଯାଉଛି। କିନ୍ତୁ ନିଜ କର୍ମକ୍ଷେତ୍ରରେ ସାଉଣ୍ଟିଥିବା ଅଭିଜ୍ଞତା ବିଷୟରେ ପୁସ୍ତକ ଲେଖିବା ଲୋକ ବହୁତ କମ୍। ଏଭଳିି ପୁସ୍ତକ ଅଧିକରୁ ଅଧିକ ଛାପାଯିବା ଜରୁରି ବୋଲି ଶ୍ରୀ ପଣ୍ଡା କହିଥିଲେ।
କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ବିଶିଷ୍ଟ କବି ପବିତ୍ର ମୋହନ କର। ପ୍ରତ୍ୟହ ପେନ୍ ଇନ୍ ବୁକ୍ସ ଷ୍ଟଲ ପରିସରରେ ଥିବା ସ୍ଵତନ୍ତ୍ର ସାହିତ୍ୟ ମଞ୍ଚରେ ଏକାଧିକ ନୂଆ ପୁସ୍ତକ ଉନ୍ମୋଚନ କରାଯିବା ସହ ଲେଖକଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ ଓ ସାହିତ୍ୟ ଆଲୋଚନା ଅନୁଷ୍ଠିତ ହେଉଛି।