ରାଜ୍ୟରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ, ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଶୀତଳଭଣ୍ଡାର
ଓଏଲ୍ ବ୍ୟୁରୋ: ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନଜରରେ ରଖି ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୧୫ ହଜାର ୨୩ ହେକ୍ଟରରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆଳୁ ଚାଷ କରିବା ସଙ୍ଗେ ତାକୁ ରଖିବ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏନେଇ ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାରରୁ ୩୫ଟି କାର୍ଯ୍ୟକ୍ଷମ ରହିଥିବାରୁ ଆଳୁ ସଂରକ୍ଷଣରେ ସମସ୍ୟା ଦେଖା ଦେଉଛି। ତେଣୁ ରାଜ୍ୟ ସରକାର ୫୮ଟି ସବ ଡିଭିଜନରେ ପିପିପି ମୋଡରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ପଦକ୍ଷେପ ନେଉଛନ୍ତି। ହାଇବ୍ରିଡ ମୋଡରେ ଅର୍ଥାତ୍ ଉଭୟ ବିଦ୍ୟୁତ ଏବଂ ସୌର ଶକ୍ତି ଦ୍ଵାରା ଏହି ଶୀତଳ ଭଣ୍ଡାର ପରିଚାଳିତ ହେବାକୁ ଥିବା ବେଳେ ଜିଲ୍ଲାପାଳଙ୍କ ଜରିଆରେ ଏଥିପାଇଁ ପ୍ରସ୍ତାବ ଆହ୍ୱାନ କରାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।