ଅଡ଼ୁଆରେ ଆଇଏଏସ୍ ବିଷ୍ଣୁପଦ ସେଠୀ
ଓଏଲ୍ ବ୍ୟୁରୋ: ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ଅଡ଼ୁଆରେ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜିଜିଏମ୍ ଏକ ଠିକାସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଏବେ ବଢ଼ିଛି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ।
ଡିସେମ୍ବର ୧୦ ତାରିଖରେ ସିବିଆଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ନିକଟକୁ ପଠାଇଥିଲା ସମନ। ଦିଲ୍ଲୀରୁ ତାଙ୍କୁ ଏହି ସମନ ପଠାଯାଇଥିବା ବେଳେ ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ଭୁବନେଶ୍ୱରର ନୂଆପଲ୍ଲୀ ସ୍ଥିତ ସିବିଆଇ ଅଫିସରେ ହାଜର ହେବାକୁ କୁହାଯାଇଥିଲା। ତାଙ୍କୁ ସିବିଆଇ ସମନ ଦେବା ପରେ ବି ଏନେଇ ମୁହଁ ଖୋଲିନାହାନ୍ତି ଶ୍ରୀ ସେଠୀ।
ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ନେଇ ସିବିଆଇ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସମନ କରିଥିଲା। ବିଷ୍ଣୁପଦ ସେଠୀ ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହି ବିଭାଗଗୁଡ଼ିକର ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅଛି। ତେଣୁ ଡ୍ରାଇଭରମାନଙ୍କଠାରୁ ଟେଣ୍ଡର୍ ଫିକ୍ସିଂ ସମ୍ପର୍କରେ କିଛି ଗୁପ୍ତ ରହସ୍ୟ ଖୋଲିବାକୁ ସିବିଆଇ ଯୋଜନା କରୁଛି।
ସୂଚନାଥାଉକି, ଚଳିତମାସ ୭ତାରିଖରେ ସିବିଆଇ ଏକ ଏଫଆଇଆର ରୁଜୁ କରିଥିଲା। ଯେଉଁଥିରେ ବ୍ରିଜ୍ ଆଣ୍ଡ ରୁଫ୍ ଇଣ୍ଡିଆ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କୁ ଗିରଫ କରିବା ସହ ନୟାପଲ୍ଲୀସ୍ଥିତ ପେଂଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିମିଟେଡର ସନ୍ତୋଷ ମହାରଣା ଓ ତାଙ୍କ ପିତା ମନମୋହନ ମହାରଣାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଉକ୍ତ ସଂସ୍ଥା ସହ ଶ୍ରୀ ସେଠୀଙ୍କର ପରୋକ୍ଷରେ ଆର୍ଥିକ ଦେଣନେଣ ଥିବାର ପ୍ରମାଣ ପାଇଁ ଏଭଳି ତଥ୍ୟ ମାଗିଥିବା ସୂଚନା ମିଳିଛି। ଏହା ଏବେ ଶ୍ରୀ ସେଠୀଙ୍କ ଅଡ଼ୁଆ ବଢ଼ାଇଥିବା ଚର୍ଚ୍ଚା ହେଉଛି।