Odisha Link
Bridging the Missing Links in Odisha

ମହାନଦୀ ପ୍ରସଙ୍ଗ: ପ୍ରସନ୍ନ-ପୃଥ୍ବୀରାଜ ମୁହାଁମୁହିଁ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିରେ ମହାନଦୀ ତାତି। ମହାନଦୀ ପ୍ରସଙ୍ଗରେ ମୁହାଁମୁହିଁ ବିଜେଡି-ବିଜେପି। ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସାଘାଂତିକ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଗକୁ ମହାନଦୀ ପାଣିକୁ ନେଇ ଭୟଙ୍କର ସ୍ଥିତି ସୃଷ୍ଟି ହେବ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଥିବା ବେଳେ ଆଇନ୍‌ ମନ୍ତ୍ରୀ କହିଛନ୍ତି, ମହାନଦୀ ପ୍ରସଙ୍ଗ ଯଦି ଆଜି ଅସୁବିଧା ସ୍ଥିତିକୁ ଯାଇଛି ତାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକ ନିଜେ।

ମହାନଦୀ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ପରିବର୍ତ୍ତନ ହେବା ଯୋଗୁଁ ପୁଣି ମୂଳରୁ ଶୁଣାଣୀ ଆରମ୍ଭ ହେବ। ଏ ସମସ୍ୟା ଦୂର ହେବା ବେଳକୁ ମହାନଦୀ ଲିନ ହୋଇଯାଇଥିବ। ଛତିଶଗଡ଼-ଓଡ଼ିଶା ସୀମାରେ ବିଜେଡ଼ି ମହାନଦୀ ଅଭିଯାନ ଆରମ୍ଭ କରିଥିଲୁ। ସେଠାରେ ଏବେ ନଦୀ ନୁହେଁ, ମରୁଭୂମିରେ ପରିଣତ ହୋଇଛି ବୋଲି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଆଗକୁ ମହାନଦୀ ପାଣିକୁ ନେଇ ଭୟଙ୍କର ସ୍ଥିତି ସୃଷ୍ଟି ହେବl ମହାନଦୀ ସମସ୍ୟା ନେଇ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ସହ ବାରମ୍ବାର ଆଲୋଚନା କରିଛୁl କିନ୍ତୁ ଫଳ ଶୂନ ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ।

ସେ ଆହୁରି କହିଛନ୍ତି, ଏବେ ଟ୍ରିପଲ ଇଞ୍ଜିନ ସରକାର। ହେଲେ ସମସ୍ୟାର ସମାଧାନ ହେବ ନାହିଁ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପରିବର୍ତ୍ତନ କରାଯାଇଛି। ପୁଣି ମୂଳରୁ ଶୁଣାଣି ଆରମ୍ଭ ହେବ। ଏ ସମସ୍ୟା ଦୂର ହେବା ବେଳକୁ ମହାନଦୀ ଲୀନ ହୋଇଯାଇଥିବ। ତେଣୁ ଏବେଠାରୁ ସତର୍କ ରୁହନ୍ତୁ ସରକାର। ମହାନଦୀ ଯୋଗୁଁ ଓଡ଼ିଶାରେ ପାଣି ସଙ୍କଟ ଦେଖାଯିବା ସହ ଚାଷୀ ସମସ୍ୟା ଦେଖାଯିବ। ଆର୍ଥିକ ଓ ସାମାଜିକ ସମସ୍ୟା ସୃଷ୍ଟି ହେବ ବୋଲି କହିଛନ୍ତି।

ପ୍ରସନ୍ନଙ୍କ ବୟାନର ପାଲଟା ଜବାବ ରଖିଛନ୍ତି ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ମହାନଦୀ ପ୍ରସଙ୍ଗ ଯଦି ଆଜି ଅସୁବିଧା ସ୍ଥିତିକୁ ଯାଇଛି ତାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକ ନିଜେ। ମଧସ୍ଥତାକୁ ମନା କରି ନାଟକୀୟ ଢ଼ଙ୍ଗରେ ମାଠିଆ ବାଡ଼େଇଲେ। ଯାହା କି ରାଜନୀତିରେ ଏମିତି କରାଯାଏନି। ରାଜ୍ୟର ସ୍ୱାର୍ଥ କଥା ସେମାନେ ସେବେ ଭୁଲି ଯାଇଥିଲେ।

ସେ ଆହୁରି କହିଛନ୍ତି, ଅତୀତକୁ ସମାଲୋଚନା କରି କଥାକୁ ଏଡାଇ ଯିବାର ସରକାର ଆମର ନୁହେଁ। ଆମେ ସ୍ପଷ୍ଟ ଭାବେ କହୁଛୁ ଓଡ଼ିଶାର ସ୍ୱାର୍ଥ ପାଇଁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ଯାହା ଯାହା କରିବାର ଥିବ ଆମ ସରକାର ତାହା କରିବେ। ସେଥିପାଇଁ କେନ୍ଦ୍ର ସରକାରଙ୍କ ସବୁ ପ୍ରକାର ସହଯୋଗ ବି ଅଛି। ଅତୀତରେ ବି ଯେଉଁ ଲଢେଇ ଗୁଡ଼ିକ ଲଢ଼ି ବିଜେଡି ସରକାର ହାରିଛନ୍ତି ସେ ବଂଶଧାରା ଟ୍ରିବ୍ୟୁନାଲ ହେଉ କି ଯାହା ବି ତାହା କେବଳ ଏମାନଙ୍କ ଅବହେଳା କାରଣରୁ ହାରିଛନ୍ତି। ଏଥର କିନ୍ତୁ ମହାନଦୀ ଟ୍ରିବ୍ୟୁନାଲରେ ସେମିତି କିଛି ହେବାକୁ ଦିଆଯିବ ନାହିଁ।

Leave A Reply

Your email address will not be published.