ଅନୁରକ୍ତି, ଭାବାବେଗ ଓ ଆକାଂକ୍ଷାର ଉପନ୍ୟାସ ‘ଇତର’
ଭାସ୍କର ପରିଚ୍ଛା
ଏକବିଂଶ ଶତାବ୍ଦୀ ହେଉଛି ବିମର୍ଶର ଶତାବ୍ଦୀ ଯେଉଁଠି ସମସାମୟିକ ସାହିତ୍ୟରେ ‘ବିମର୍ଶ’ର ଏକ ଗମ୍ଭୀର ଓ କ୍ରମବର୍ଦ୍ଧିତ ରୂପ ଦୃଶ୍ୟମାନ ହୁଏ। ମହିଳା ବିମର୍ଶ, ଦଳିତ ବିମର୍ଶ, ଶିଶୁ ବିମର୍ଶ, ଆଦିବାସୀ ବିମର୍ଶ, ମୁସଲମାନ ବିମର୍ଶ ଓ ସର୍ବୋପରି ଟ୍ରାନ୍ସଜେଣ୍ଡର ବିମର୍ଶ ବି ଏହି ଟ୍ରେଣ୍ଡର ଅଂଶ ବିଶେଷ। ଏଇ କିଛି ବର୍ଷ ଧରି ଟ୍ରାଂସଜେଣ୍ଡର ବା କ୍ୱିଏର ସାହିତ୍ୟକୁ ନେଇ ଆଲୋଚନା, ଆତ୍ମଜୀବନୀ ଓ ଉପନ୍ୟାସ ବେଶ୍ ଆଖିରେ ପଡ଼େ।
ନପୁଂସକ, ଯାହାକୁ ଆମେ ହିଞ୍ଜଡ଼ା, କିନ୍ନର, ଅପରାଜିତା, ତୃତୀୟ ଲିଙ୍ଗ, ମାଇଚିଆ ଇତ୍ୟାଦି ନାମରେ ନାମିତ କରିଥାଉ। ନିଜ ଭୁଲ ନଥାଇ ସେମାନେ ଅବମାନନା ଓ ଅବହେଳାର ଶିକାର ହୋଇ ଆସିଛନ୍ତି। ରକ୍ଷଣଶୀଳ ମାନସିକତା ହେତୁ ଆମ ସମାଜ ଏହି ନପୁଂସକ ସମ୍ପ୍ରଦାୟକୁ ଅସ୍ପୃଶ୍ୟ କରି ରଖି ଆସିଛି।
ନପୁଂସକ ସମ୍ପ୍ରଦାୟକୁ ନେଇ ଓଡ଼ିଆ ସାହିତ୍ୟରେ ବିଶେଷ କିଛି ଲେଖା ହୋଇନଥିବା ବେଳେ ଏବଂ ଏହି ବିଭାଗଟି ଅପରିପକ୍ୱ ଅବସ୍ଥାରେ ଥିବା ବେଳେ ଶୁଭ୍ରାଂଶୁ ପଣ୍ଡାଙ୍କ ୨୦୨୧ର ଉପନ୍ୟାସ ‘ଇତର’ ସମ୍ଭବତଃ ଓଡ଼ିଆରେ ଲିଖିତ ପ୍ରଥମ ଉପନ୍ୟାସ। ନପୁଂସକ ସମ୍ପ୍ରଦାୟ ବିଷୟରେ ଲେଖିବାର କାର୍ଯ୍ୟ ଏଇଠୁ ହିଁ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
ଟ୍ରାଂସଜେଣ୍ଡରଟି କିଏ? ଅନୁରକ୍ତି, ଭାବାବେଗ, ଆକାଂକ୍ଷା ଏ ସବୁ ଜଣେ ସ୍ତ୍ରୀର ,କିନ୍ତୁ ଶରୀରଟି ପୁରୁଷର।ଏହା ଏଭଳି ଏକ ଦୟନୀୟ ସ୍ଥିତି ଯେଉଁଠି ଜୀବନ ଜୀବନ ନୁହେଁ। ସାଲିସ କରି ତାକୁ ଜୀବନଟିକୁ ବିତାଇବାକୁ ପଡ଼ିଥାଏ। ଟ୍ରାଂସ୍ଜେଣ୍ଡର ଏଭଳି ଏକ ବର୍ଗ ଯାହାଙ୍କ ପରିବାର ସଦସ୍ୟଙ୍କୁ ନିରନ୍ତର ଦୁର୍ବ୍ୟବହାର ଓ ଅପମାନର ଶିକାର ହେବାକୁ ପଡ଼ିଥାଏ।ସେ ଏକ ନିଆରା ଜୀବ।
ଏହି ବାସ୍ତବତାକୁ ସଫଳ ଭାବରେ ଫୁଟାଇ ପାରିଛନ୍ତି ଶୁଭ୍ରାଂଶୁ ପଣ୍ଡା ତାଙ୍କର ଇତର ଉପନ୍ୟାସରେ। ଲେଖକର ପରିଚୟ ଦେଇ ସେ ଜଣେ କିନ୍ନରକୁ ତା ଜୀବନ କାହାଣୀ ଶୁଣାଇବା ପାଇଁ କହୁଛନ୍ତି। ଟେପ୍ ରେକର୍ଡ଼ରେ ସେ ସେହି କାହାଣୀକୁ କଏଦ କରୁଛନ୍ତି।
ଗୋବିନ୍ଦ କିନ୍ନର,ସେ ବିବାହ କରିଥିବା ମୋବାଇଲ ମେକାନିକ ବିନୋଦ ଓ ମଧୁ ସାରଙ୍କୁ ନେଇ ଉପନ୍ୟାସର କାହାଣୀ ଘୁରି ବୁଲୁଛି। କେତେବେଳେ ଫ୍ଲାସବ୍ୟାକ୍ ତ ଆଉ କେତବେଳେ ଫାଷ୍ଟ ଫରୱାର୍ଡ। ଗୋବିନ୍ଦର ପିଲା ବେଳ କଥା, ତା ଗାଁ କଥା, ତା ଦେହର ଲାଳସା କଥା, ତା ବଡ଼ ଭଉଣୀର ବିବାହ କଥା,ବିଭିନ୍ନ ଯାତ୍ରା ପାର୍ଟି କଥା ଓ ଶେଷରେ ଭୁବନେଶ୍ଵର ଆସି ତା ବିଧବା ମାଁକୁ ଭେଟିବା କଥା ଏଭଳି ଅସଂଖ୍ୟ ଘଟଣା ଓ ଚରିତ୍ର ଭିତରେ ଉପନ୍ୟାସଟି ଗତିଶୀଳ ହୋଇପାରିଛି।
ଯେହେତୁ ଏହା ଏକ ଟ୍ରାଂସଜେଣ୍ଡର ଭିତ୍ତିକ ଉପନ୍ୟାସ ଓ ଏଥିରେ ଅନେକ ସଂଯମତା ରକ୍ଷା କରିବା ପାଇଁ ହୁଏ ଔପନ୍ୟାସିକ ସେହି ଦିଗ ପ୍ରତି ଦୃଷ୍ଟି ଦେଇଛନ୍ତି। କାହାଣୀର କ୍ଲାଇମ୍ୟାକ୍ସକୁ କିନ୍ତୁ ସେ ହାତଛଡ଼ା କରି ନାହାଁନ୍ତି। ଓଡ଼ିଶାର ସାଧାରଣ ଜୀବନ,ଳୌକିକ ପରମ୍ପରା ଓ ସ୍ଥାନୀୟ ଚରିତ୍ରର ଅବତାରଣା ଯୋଗୁଁ ଉପନ୍ୟାସଟି ପଢ଼ିବା ବେଳେ ପାଠକଟି କେତେବେଳେ ବି ନିଜକୁ ଏକ ପରିତ୍ୟକ୍ତ ଇଲାକାରେ ବୁଲୁଥିବା ଭଳି ଅନୁଭବ କରିବ ନାହିଁ। ବରଂ ପୃଷ୍ଠା ପରେ ପୃଷ୍ଠା ଲେଉଟାଇବା ବେଳେ ତାର ଉତ୍କଣ୍ଠା ବଢି ହିଁ ଚାଲିଥିବ।
ଉପନ୍ୟାସର ଆରମ୍ଭରେ ମୁଖ୍ୟ ଚରିତ୍ରର ସ୍ଵୀକାରୋକ୍ତି କିଛି ଏହିଭଳି:’ମୋର ଦୁନିଆରେ ବିଶେଷ ସଫଳତା ନାହିଁ, ମୋ ବିଫଳତା ବି ବିଶେଷ କିଛି ରୋଚକ ନୁହେଁ। ମୁଁ ସେମିତି ବଡ଼ ଧନୀଲୋକ ନୁହେଁ। କୋଟିକୋଟି ମଣିଷଙ୍କ ଭିଡ଼ ଭିତରେ ମୁଁ ଗୋଟେ ଅର୍ବାଚୀନ, ଅଦରକାରୀ ମଣିଷ। ତେଣୁ ମୋ କଥା ଆପଣଙ୍କୁ କହି ଭାରାକ୍ରାନ୍ତ କରିବାର କାଣିଚାଏ ଆଗ୍ରହ ନଥିଲା।ଏଇ ଲୋକଟି, ଯିଏ ମୋ କଥା ଆପଣଙ୍କ ପାଖରେ ପହଞ୍ଚାଇବାର କଷ୍ଟ କରିଛି, ତାଆରି ଅନୁରୋଧରେ ମୁଁ ମୁହଁ ଖୋଲିବାକୁ ନିଷ୍କତ୍ତି ନେଲି। ଏ ଲେଖକ ମୋ ପାଖରୁ କଥା ପଦେ ଆଦାୟ କରିବ ବୋଲି କେତେ ଯେ ପରିଶ୍ରମ କରିଛି ଭାବିଲେ ମୋତେ ହସ ମାଡୁଛି, ଦୟା ବି ଲାଗୁଛି । ମୁଁ କି ଛାର ଲୋକ ଯେ, ଏମିତି ପଛରେ ପଡ଼ିଗଲା।’
ପୁଣି ସେ କହୁଛି: ‘ମୋ କାହାଣୀ ଚମକ ସୃଷ୍ଟି କରିବ କି ନା ଜାଣେନା, କିନ୍ତୁ ଆପଣଙ୍କୁ ନୂଆ ଲାଗିବ ନିଶ୍ଚୟ। ଆପଣ ଭୋଗୁଥିବା ପୃଥିବୀକୁ ମୁଁ ବି ଭୋଗୁଛି। କିନ୍ତୁ ମୁଁ ଯେଉଁ ବାଗରେ ଭୋଗିଛି ତାହା ଆପଣଙ୍କଠାରୁ ଭିନ୍ନ ନିଶ୍ଚୟ। ମାନୁଛି, ଆପଣଙ୍କର ଦୁଃଖ ଅଛି, ଆପଣ ବି ପୀଡ଼ା ପାଇଛନ୍ତି, ଆପଣ ହୁଏତ ପ୍ରେମରେ ସଫଳ ବା ବିଫଳ ହୋଇଛନ୍ତି, ଆପଣ ସାମାଜିକ ଆକ୍ରୋଶର ବି ଶିକାର ହୋଇଥାଇପାରନ୍ତି। କିନ୍ତୁ ମୋ ଦୁଃଖ, ମେ ପୀଡ଼ା, ମୋ ପ୍ରେମ ଆଉ ମୋ ଆନନ୍ଦ ଅପଣଙ୍କଠାରୁ ଯଥେଷ୍ଟ ଭିନ୍ନ।’
ଗୋବିନ୍ଦ ସମାଜକୁ ବି ଦୋଷ ଦେଇଛି: ‘ମୋ ଇତରପଣକୁ ଲୁଚାଇ ଆପଣମାନଙ୍କ ଭିତରେ ଆପଣମାନଙ୍କ ପରି ଜୀବନଟିଏ ବଞ୍ଚିବାକୁ ମୁଁ ଚେଷ୍ଟାକରିଛି ଅବଶ୍ୟ, କିନ୍ତୁ ସଫଳ ହୋଇନାହିଁ। ଆପଣମାନେ ହିଁ ମୋତେ ସେ ସୁଯୋଗରୁ ବଞ୍ଚିତ କରିଛନ୍ତି, ଆପଣମାନେ ହିଁ ମୋତେ ବାରମ୍ବାର ମନେ ପକାଇ ଦେଇଛନ୍ତି ମୁଁ ଇତର ବୋଲି । ଆପଣମାନେ ହିଁ ବଡ଼ପାଟିରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ମୁଁ ଭିନ୍ନ ବୋଲି । ଆପଣମାନେ ହିଁ ମୋ ଭିତରେ ଦୋଷ ବାଛିଛନ୍ତି ଓ ମୋ ସାମନାରେ ଦୁଇଟି ବିକଳ୍ପ ଥୋଇଛନ୍ତି; ମୁଁ ଆପଣମାନଙ୍କ ଭଳି ଜଣେ ହୋଇ ସମାଜରେ ବଞ୍ଚିବି ନହେଲେ ଇତର ହୋଇ ଅଲଗା ସମାଜରେ ରହିବି।’
ଆମ ସମାଜର ଦ୍ବୈତ ମାନସିକତା ହେତୁ ନପୁଂସକମାନେ ଏକ ପରିତ୍ୟକ୍ତ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି। ତୃତୀୟ ଲିଙ୍ଗ ପ୍ରତି ସମାଜର ମନୋଭାବ ପ୍ରଦର୍ଶନ ସାମାଜିକ ଓ ଲିଙ୍ଗଗତ ବିଷମତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି କେବଳ ନୁହେଁ ଏ କ୍ଷେତ୍ରରେ ବ୍ୟାପକ ହସ୍ତକ୍ଷେପ ବି ଆବଶ୍ୟକ କରୁଛି।ଶୁଭ୍ରାଂଶୁ ପଣ୍ଡାଙ୍କ ଇତର ଉପନ୍ୟାସ ସେହି ଦିଗରେ ଏକ ମହତ ଉଦ୍ୟମ।