କୋରାପୁଟ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ଓଏଲ୍ ବ୍ୟୁରୋ: ଆଜି ପର୍ଯ୍ୟଟନ ବିଭାଗର ସଚିବ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ, କୋରାପୁଟଙ୍କ ସହ ମିଶି କୋରାପୁଟର ପଣ୍ଡି ଗ୍ରାମ ଏବଂ କୋଲାବ ଜଳଭଣ୍ଡାର ପରିଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପଣ୍ଡି ଗ୍ରାମ ଏବଂ କୋଲାବ ପରିଦର୍ଶନ କରି ପ୍ରଭାତୀ ପରିଡା କହିଛନ୍ତି, ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ ଏବଂ ହୃଦୟସ୍ପର୍ଶୀ। ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଅପାର ସଂଭାବନା ଅଛି ଏବଂ ଏଥିପାଇଁ ବିଭାଗ ତରଫରୁ ଖୁବ୍ ଶୀଘ୍ର ଯୋଜନା ପ୍ରସ୍ତୁତ ହେବ।
କୋରାପୁଟ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବା ସହ ଅର୍ଥ ଯୋଗାଇ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଆଦିବାସୀ ମାନଙ୍କର ବିକାଶ ହୋଇପାରିବ। ଜିଲ୍ଲାର କଫି ଚାଷ ଆହୁରି ବ୍ୟାପକ ହେବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ସମସ୍ତ ସାହାଯ୍ୟ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।