ସଂସଦରେ ଠେଲାପେଲା ଘଟଣା: କଂଗ୍ରେସ କହିଲା-ଏହା ଯୋଜନାବଦ୍ଧ ଷଡ଼ଯନ୍ତ୍ର..
ଓଏଲ୍ ବ୍ୟୁରୋ: ସଂସଦର ଶୀତ ଅଧିବେଶନରେ ରାଜନୈତିକ ଉଷ୍ମତା ଦେଖା ଦେଇଛି। ଆମ୍ବେଦକର ପ୍ରସଙ୍ଗରେ ଉଠୁଛି ପଡ଼ୁଛି ସଂସଦ। କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆଜି ସଂସଦ ପରିସରରେ ଘଟିଛି ଅଭାବନୀୟ ଘଟଣା। ଆମ୍ବେଦକର ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଅଭିଯୋଗ ହେଉଛି ଯେ, କୁଆଡେ ରାହୁଲ ଗାନ୍ଧି ସେମାନଙ୍କୁ ଧକ୍କା ଦେଇଛନ୍ତି।
ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଖଡଗେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବାବା ସାହେବଙ୍କ ଉପରେ ଗୃହମନ୍ତ୍ରୀଙ୍କ ବୟାନ ଦୁଃଖଦାୟକ। ନେହରୁଙ୍କୁ ଗାଳି ଓ ଆମ୍ବେଦକରଙ୍କୁ ଅପମାନିତ କରୁଛନ୍ତି। ନେହରୁ ଓ ଆମ୍ବେଦକରଙ୍କ ଉପରେ ଯାହା କହିଛନ୍ତି ସବୁ ମିଛ। ବାବା ସାହେବଙ୍କୁ ପରିହାସର ପାତ୍ର କରିଦେଇଛନ୍ତି। ପ୍ରସଙ୍ଗ ଉପରୁ ନଜର ହଟାଇବାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଛି।
ଆମେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ବେଳେ ଆମକୁ ରୋକିଥିଲେ। ଆମକୁ ରୋକିଲେ, କିନ୍ତୁ ଆମ ଉପରେ ଦୋଷ ଲଦୁଛନ୍ତି।ବିଜେପିର ଷଡ଼ଯନ୍ତ୍ର ବିରୋଧରେ ଦେଶ ସାରା ଆନ୍ଦୋଳନ କରିବୁ। ଆମେ ଲୋକଙ୍କ ସମସ୍ୟା ନେଇ ଲଢ଼େଇ କରୁଛୁ। ଦେଶକୁ କ୍ଷମା ମାଗନ୍ତୁ ଗୃହମନ୍ତ୍ରୀ ଅମିତ ଶାହ ବୋଲି ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧି ଓ ଖଡଗେ କହିଛନ୍ତି।
ଅନ୍ୟପଟେ ଓଡ଼ିଶାର ବିରୋଧୀ ଦଳ ଆସନରେ ବସିଥିବା ବିଜୁ ଜନତା ଦଳ ଏହି ଘଟଣାକୁ ନିନ୍ଦା କରିଛି। ସଂସଦରେ ରାହୁୁଲ ଗାନ୍ଧିଙ୍କ ଠେଲାପେଲା ଘଟଣାକୁ ନିନ୍ଦା କଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ସଂସଦରେ ଏଭଳି ଘଟଣା ଗ୍ରହଣୀୟ ନୁହେଁ। ତୁରନ୍ତ ରାହୁଲ ଗାନ୍ଧି ଶ୍ରୀ ଷଡ଼ଙ୍ଗୀଙ୍କୁ ମେଡିକାଲର ସାକ୍ଷାତ କରିବା ସହିତ ସ୍ବାସ୍ଥ୍ୟବସ୍ଥା କଥା ବୁଝିବା ପାଇଁ କହିଛନ୍ତି ଦେବାଶିଷ ସାମନ୍ତରାୟ। ଏଭଳି ବ୍ୟବହାରକୁ ନିନ୍ଦନୀୟ କହିବା ସହିତ ସମବେଦନା ଜଣାଇଛନ୍ତି ବିଜେଡି ସାଂସଦ।
ସୂଚନାଥାଉକି, ଆଜି ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଜେପିର ବରିଷ୍ଠ ନେତାମାନେ ହସ୍ପିଟାଲ ଯାଇ ଉଭୟଙ୍କ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଛିଝନ୍ତି।