ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେ, ଇପ୍ସିତା ନନ୍ଦ ‘ଫେସ୍ ଅଫ୍ ଦ ଇୟର’
ଓଏଲ୍ ବ୍ୟୁରୋ: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୫ରେ ‘ଫେସ୍ ଅଫ୍ ଦ ଇୟର-୨୦୨୫’ ଭାବେ ମନୋନୀତ ହୋଇଛନ୍ତି ବାଲେଶ୍ବର ଝିଅ ଇପ୍ସିତା ନନ୍ଦ। ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର, ନିର୍ଦ୍ଦେଶକ ଓ ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଏବଂ ଲେଖକ ଓ ପ୍ରକାଶକ ସରୋଜ ବଳ।
ଏଥି ସହିତ ସୋହାନି ସ୍ମୃତିକ୍ରିପା, ସାନଭି ପାଣି, ସାଇ ପ୍ରିୟାଂସ ଦାସ, ଦିବ୍ୟାଂଶି ଭୁକ୍ତା, ଦ୍ରିସାନା ସାମନ୍ତରା, ପ୍ରିୟମ୍ ପ୍ରିୟାଂସି ବେହେରା, ସାଇନି ସନୟା ବେହେରା, ସସ୍ମିତା ଜେନା, ଶ୍ରୀନିକା ପାଲ୍ ଆଦି ୯ ଜଣଙ୍କୁ ‘ଫେସ୍ ଅଫ୍ ଦ ମନ୍ଥ୍-୨୦୨୫’ ଭାବେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଅତିଥିମାନେ ଓଡ଼ିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖି ଅବିକାର ଏଇ ପ୍ରୟାସକୁ ପ୍ରଶଂସା କରିଥିଲେ। ‘ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୫’କୁ କବି, ଗୀତିକାର, ସଂଳାପକାର ବିଜୟ ମଲ୍ଲ ସଂଚାଳନ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ ‘ଅବିକା’ର ନିର୍ଦ୍ଦେଶକ ଅବିନାଶ ସାହୁ। ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।