ଶ୍ରୀମନ୍ଦିରରେ ୫ ସୂତ୍ରୀ ମାର୍ଗଦର୍ଶିକା, ବଡ଼ ସୂଚନା ଦେଲେ ମୁଖ୍ୟ ପ୍ରଶାସକ..
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଜାରିହେଲା ନୂଆ ଗାଇଡଲାଇନ। ୫ ସୂତ୍ରୀ ଗାଇଡଲାଇନ ଜାରିକଲା ଶ୍ରୀମନ୍ଦିର ପ୍ରଶାସନ। ଡ୍ଯୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ। ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବଡ଼ ସୂଚନା ଦେଇଛନ୍ତି।
ମୁଖ୍ୟ ପ୍ରଶାସକ କହିଛନ୍ତି, ଶୁକ୍ରବାର ଥିବାରୁ କିଛି କର୍ମଚାରୀ ହସ୍ତତନ୍ତ ପୋଷାକ ପିନ୍ଧିଛନ୍ତି। ପାନ, ଗୁଟ୍ଖା, ମାଦକ ଦ୍ରବ୍ୟ ଉପରେ କଟକଣା ଲାଗିଛି। ସିସିଟିଭି ଲାଗିବ, ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜାନୁଆରୀ ୩୧ ସୁଦ୍ଧା ନିଜ ସଂପତ୍ତି ତାଲିକା ଦାଖଲ କରିବେ।
ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ଲାଗୁ ହେବ ମାର୍ଗଦର୍ଶିକା। ପରେ ଶ୍ରୀମନ୍ଦିର ଭିତରେ କଡ଼ାକଡ଼ି ମାର୍ଗ ଦର୍ଶିକା ଲାଗୁ ହେବ। ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଅଧିକୃତ ବ୍ୟକ୍ତିଙ୍କ ସମେତ ଅନ୍ୟ କୌଣସି ବ୍ୟକ୍ତି ଶ୍ରୀମନ୍ଦିରକୁ ମୋବାଇଲ ନେବେ ନାହିଁ। ସେବାୟତଙ୍କୁ କିପ୍ୟାଡ୍ ଫୋନ୍ ନେଇପାରିବେ।
ସେହିପରି ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ। ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହା ଲାଗୁ ହେବ ନାହିଁ। ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ତଥା ଉତ୍ତରଦାୟୀ କରିବାକୁ ଏହି ପରାମର୍ଶ ତଥା ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି।