ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: ୩ ଶ୍ରମିକ ନିଖୋଜ, ଜବାବ ରଖିଲା ଡାଲମିଆ କମ୍ପାନି
ଓଏଲ୍ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ (ଡିସିବିଏଲ ବିଏଲ ସିମେଣ୍ଟ) କାର ଚାରଖାନାରେ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଲାଇନ ଦୁଇ ପ୍ଲାଣ୍ଟରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ କୋଲ ହପର ଫାଟିଯିବାରୁ ୩ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ଯାଇଥିବା ଜଣାପଡିଛି। ଘଟଣା ପ୍ରଚାରିତ ହେବା ପରେ ଶହଶହ ଲୋକ କାରଖାନା ଗେଟ ସମ୍ମୁଖରେ ଜମା ହୋଇ ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ।
ଭିତରେ କାମ କରୁଥିବା ଶ୍ରମିକମାନଙ୍କ ପରିବାର ସମ୍ପର୍କୀୟ ଜମା ହୋଇ ରହିଛନ୍ତି। ଅଘଟଣ ଘଟଣାରେ ଜବାବ ରଖିଲା ଡାଲମିଆ କମ୍ପାନି। ୩ ଶ୍ରମିକ ନିଖୋଜ ଥିବା ପ୍ରେସ ଇସ୍ତାହାରରେ ଉଲ୍ଲେଖ ହୋଇଥିବାବେଳେ ଗୁରୁତର ଶ୍ରମିକଙ୍କୁ ସ୍ବତନ୍ତ୍ର ହସ୍ପିଟାଲ ନିଆଯାଇଛି। ଗୁରୁତରଙ୍କ ସଂଖ୍ୟା ନେଇ କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ।
ଅନ୍ୟପଟେ, ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତିନି ଜଣ ସୁଶାନ୍ତ ରାଉତ, ରଞ୍ଜିତ ବଳ, ଦଶରଥ ପାତ୍ର କୋଇଲା ଗଦା ଭିତରେ ଦବି ରହିଥିବା ଅନୁମାନ କରାଯାଉଛି। ଗତକାଲି ୟୁନିଟ ଦୁଇର ‘କୋଲ୍ ହପର ଷ୍ଟ୍ରକଚର’ ହଠାତ ପଡ଼ି ଯାଇଥିଲା। ଏଥିରେ ପ୍ରାୟ ୧୫ ଟନ କୋଇଲା ଥିବା କୁହାଯାଉଛି। ଦୁର୍ଘଟଣା ପରେ ଶ୍ରମିକ ମାନେ କୋଇଲା ତଳେ ଚାପି ହୋଇଥିବା ଶୁଣାଯାଉଛି। ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ଏବଂ ପଶ୍ଚିମାଞ୍ଚଳ ଡିଆଇଜି ଘଟଣାସ୍ଥଳରେ ପହଞ୍ଚିଥିଲେ। କାରଖାନା ବାହାରେ ଦୁର୍ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି।