ନବ ଦାସ ହତ୍ୟାକାଣ୍ଡ ମାମଲା: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଗୋପାଳଙ୍କ ଓକିଲ କହିଲେ…
ଓଏଲ୍ ବ୍ୟୁରୋ: ଆଉ ଦିନ କେଇଟା ପରେ ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୨ ବର୍ଷ ପୂରିବ। ନବ ଦାସଙ୍କ ମୃତ୍ୟୁକୁ ନେଇ ଆସିଛି ବଡ଼ ଖବର। ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼। ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟାରି ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଘଟଣା ସମୟରେ କେବଳ ଗୋପାଳ ଦାସର ବନ୍ଧୁକରୁ ନୁହେଁ ବରଂ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା କଥା ସ୍ପଷ୍ଟ ହୋଇଛି। ଯାହାକି ଏବେ ଘଟଣାକୁ ନେଇ ସସପେନ୍ସ ବଢ଼ାଇ ଦେଇଛି।
କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଓ ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟ ଅନୁସାରେ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା। ପ୍ରଥମ ଗାଡ଼ି(ଓଡି ୧୫ ୟୁ ୬୧୯୭)ରେ ଖୋଦ୍ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ି(ଓଡି ୧୫ ଟି ୦୧୮୩)ରେ ତାଙ୍କର ସହଯୋଗୀମାନେ ବସିଥିଲେ। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି।
ଅନ୍ୟପଟେ ହତ୍ୟାକାଣ୍ଡକୁ ରୋଚକ କରିଛି ନବଦାସଙ୍କ ହତ୍ୟାକାରୀ ଭାବେ ଜେଲରେ ଦଣ୍ଡ ଭୋଗୁଥିବା ଗୋପାଳ ଦାସଙ୍କ ଓକିଲ ନରେଶ ନାୟକଙ୍କ ପ୍ରତିକ୍ରିୟା। ସେ ପ୍ରଶ୍ନ କରିଛନ୍ତି ଯେ ସ୍ବର୍ଗତ ନବ ଦାସଙ୍କ ରକ୍ତ ଭିଜା ସାର୍ଟି କୁଆଡ଼େ ଗଲା ? କାରଣ କ୍ରାଇମବ୍ରାଞ୍ଚ ଦେଇଥିବା ସିଜର ଲିଷ୍ଟରେ ରକ୍ତ ଭିଜା ସାର୍ଟ ମିସିଂ ଥିବା ଉଲ୍ଲେଖ ରହିଛି।ଯାହା ପୂରା ଘଟଣାକୁ ସନ୍ଦେହ ଭିତରକୁ ଟାଣୁଛି।
ଏଥିସହିତ ଗୋପାଳ ଦାସଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି ନରେଶ। ସେ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ ଦିନ ଗୋପାଳ ଦାସ ସୁରକ୍ଷା ପାଇଁ ମୁତୟନ ଥିଲା। ବାଣ ବା ଗୁଳି ଶବ୍ଦ ଶୁଣି ଆଲର୍ଟ ହୋଇ ଗୋପାଳ ବ୍ଲାଙ୍କ ଫାୟାର କରିଥିଲା। ଗୋପାଳ ବନ୍ଧୁକ ଗୁଳିରେ ନବଙ୍କ ଜୀବନ ଯାଇନାହିଁ।ଅନ୍ୟ କାହା ଗୁଳିରେ ନବ ଦାସଙ୍କର ମୃତ୍ୟୁ ହୋଇଥାଇପାରେ।ନବ ଦାସଙ୍କ ହତ୍ୟା ପଛରେ ଯେଉଁ ଷଡଯନ୍ତ୍ର ଅଛି ତାହାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିନାହିଁ।