ଆଜିଠୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଆରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆଜିଠୁ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା ସମ୍ମେଳନ। ଯାହାକି ୨ ଦିନ ଅର୍ଥାତ ୨୮ ଓ ୨୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଚଳିତ ମାସ ମୋଦିଙ୍କ ଏହା ଦ୍ବିତୀୟ ଗସ୍ତ ଅଟେ। ପ୍ରବାସୀ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗତ ଜାନୁଆରୀ ୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରରୁ ଜନତା ମୈଦାନ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ବ୍ଲୁ ବୁକ୍ ଅନୁସାରେ କମିଶନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ପୂର୍ବାହ୍ନ ୧୦ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି। ସେଠାରୁ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମଇଦାନରେ ସେ ପହଞ୍ଚିବେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ -୨୦୨୫ରେ ମୋଦି ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ଯାଏଁ ଉପସ୍ଥିତ ରହିବେ। ଏହାପରେ ମଧ୍ୟାହ୍ନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରି ୧୨ଟା ୫୫ମିନିଟରେ ଦିଲ୍ଲୀ ଫେରିଯିବେ।
ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନୀ ଉତ୍ସବ ପୂର୍ବରୁ ଗତକାଲି ସୋଶାଲ ମିଡିଆ ଏକ୍ସରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମଙ୍ଗଳବାର ଓଡ଼ିଶାର ବିକାଶ ଓ ଦେଶର କ୍ରୀଡ଼ା ପ୍ରତିଭାଙ୍କ ପାଇଁ ସମର୍ପତ ହେବ। ସକାଳ ୧୧ଟାରେ ଭୁବନେଶ୍ୱରରେ ନିବେଶ ସମ୍ପର୍କିତ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବି। ସେଠାରୁ ବାହାରି ସନ୍ଧ୍ୟା ୬ଟାରେ ଡେରାଡୁନରେ ୩୮ତମ ରାଷ୍ଟ୍ରୀୟ କ୍ରୀଡ଼ାକୁ ଉଦଘାଟନ କରିବାର ସୌଭାଗ୍ୟ ପ୍ରାପ୍ତ ହେବ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।
ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ୨୦୦ ଜାତୀୟ ପରିଷଦ ସଦସ୍ୟ ଆସିବେ। ଜାତୀୟ ପରିଷଦ ସଦସ୍ୟଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା-୨୦୨୫’ରେ ଯୋଗ ଦେବା ପାଇଁ ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏହି ସମାରୋହରେ ୧୬ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗଦେବେ। ଏସ୍ଏଲ୍ ମିତ୍ତଲ, ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ ଭଳି ଜଣାଶୁଣା ଶିଳ୍ପପତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିବେ।