Odisha Link
Bridging the Missing Links in Odisha

ନିଯୁକ୍ତି ପାଇଁ ପ୍ରସ୍ତୁତି: ୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରୁ ଦୂର ହେବ ବେକାରୀ ସମସ୍ୟା। ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ପାଇଁ ପ୍ରସ୍ତୁତ ହେଲା ଖସଡ଼ା। ଆସନ୍ତା ୫ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀସ୍ତରରେ ଦେଢ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ୨ ବର୍ଷରେ ୬୫ ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି। ନିଯୁକ୍ତି ପ୍ରକ୍ରିୟାର ଷ୍ଟାଟସ ରିପୋର୍ଟକୁ ନେଇ ଜିଏ ବିଭାଗ ପକ୍ଷରୁ ବୈଠକ ବସିଥିଲା। ପଦବୀ ପୂରଣ ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇ ଖସଡ଼ା ପ୍ରସ୍ତୁତ ହୋଇଛି।

ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ବିଭାଗରେ ୧,୧୦,୫୫୭ଟି ପଦବୀ ଖାଲି ରହିଛି। ଏଗୁଡିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ଆୟୋଗଗୁଡିକୁ ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବିଭିନ୍ନ ବିଭାଗରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଖାଲି ଥିବା ପଦବୀ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସ୍ବତନ୍ତ୍ର ରିକ୍ରୁଟମେଣ୍ଟ ଡ୍ରାଇଭ କରିବାକୁ କହିଛନ୍ତି। ଗ୍ରୁପ-ବି ବର୍ଗର ପଦବୀ ପୂରଣ ପାଇଁ ଏମପାଓ୍ବାର୍ଡ କମିଟିର ଅନୁମୋଦନ ଦରକାର ନାହିଁ। ଭିନ୍ନକ୍ଷମ ବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଯାଞ୍ଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା ଏମପାଓ୍ବାର୍ଡ କମିଟିକୁ ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.