Odisha Link
Bridging the Missing Links in Odisha

ବିବାଦରେ ସୋନିଆ ଗାନ୍ଧିଙ୍କ ବୟାନ, ରାଷ୍ଟ୍ରପତି ଭବନ ପକ୍ଷରୁ କଡ଼ା ଆପତ୍ତି

ଓଏଲ୍‌ ବ୍ୟୁରୋ: ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦର ମିଳିତ ଅଧିବେଶନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ଏହା ସହ ପ୍ରୟାଗରାଜରେ ଘଟିଥିବା କୁମ୍ଭମେଳା ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରି କହିଛନ୍ତି, ମାତ୍ର ଦୁଇ ମାସ ତଳେ ଆମେ ସମ୍ବିଧାନ ଗ୍ରହଣ କରିବାର ୭୫ତମ ବାର୍ଷିକୀ ପାଳନ କରିଥିଲୁ ଏବଂ କିଛି ଦିନ ତଳେ ଭାରତୀୟ ଗଣତନ୍ତ୍ର ମଧ୍ୟ ଏହାର ୭୫ ବର୍ଷର ଯାତ୍ରାକୁ ପୂରଣ କରିଥିଲା। ଏହି ଅବସର ଗଣତନ୍ତ୍ରର ଜନ୍ମଭୂମି ଭାବେ ଭାରତର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବ। ପ୍ରାୟ ଏକ ଘଣ୍ଟାର ଅଭିଭାଷଣ ଶେଷ ପରେ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି।

ରାହୁଲ୍ କୌଣସି ପ୍ରତିକ୍ରିୟା ନଦେଇ ସଂସଦ ଭବନ ବାହାରକୁ ଚାଲି ଚାଲି ଯାଇଥିଲେ ତାଙ୍କ ମାଆ ସୋନିଆ ଗାନ୍ଧିଙ୍କ ପାଖକୁ। ସେଠାରେ ତାଙ୍କ ଭଉଣୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଥିଲେ। ଗଣମାଧ୍ୟମ ପ୍ରତିନିଧି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। କିନ୍ତୁ ରାହୁଲ୍ ତାଙ୍କ ମାଆଙ୍କୁ ପଚାରିଥିଲେ, ଏହା ଉପରେ କ’ଣ କହିବା। ସୋନିଆ କହିଥିଲେ, ମିଛ ପ୍ରତିଶ୍ରୁତି କୁହ। ରାହୁଲ୍ କହିଥିଲେ, ‘ବୋରିଂ’ କହିବା। ନା ‘ନୋ କମେଣ୍ଟ’ କହିବା।

ସେତିକି ବେଳେ ସୋନିଆ କହିଥିଲେ, ‘ଦ ପୁଅର୍ ଲେଡି’ ଭାଷଣ ଦେଇ ଥକିଗଲେଣି। ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ ଓ ମାଆଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା କ୍ୟାମେରାରେ କଏଦ୍ ହୋଇଥିଲା। ସୋନିଆଙ୍କ ଏହି ପଦେ କଥାକୁ ନେଇ ରାଜନୀତି ସରଗରମ ହେଲାଣି। ବିଜେପି ଏହାକୁ କଡା ଭାଷାରେ ନିନ୍ଦା କରିଛି। ରାଷ୍ଟ୍ରପତିଙ୍କୁ ଏପରି କହି ସେ ଏହି ପଦବୀର ପଦମର୍ଯ୍ୟାଦାର ଅବମାନନା କରିଥିବା କହିଛନ୍ତି ବିଜେପି ନେତା। ଏବେ ବି ଗାନ୍ଧି ପରିବାର ସଦସ୍ୟଙ୍କ ମନରେ ଏଭଳି ଚିନ୍ତା ବସାବାନ୍ଧି ରହିଛି ବୋଲି ବିଜେପି ନେତା କହିଛନ୍ତି।

ସୋନିଆଙ୍କ ବୟାନ ଜାରି ନେଇ କଡ଼ା ଆପତ୍ତି ଜଣାଇଲା ରାଷ୍ଟ୍ରପତି ଭବନ। ସୋନିଆଙ୍କ ବୟାନ ଗ୍ରହଣୀୟ ନୁହେଁ କହିଲା ରାଷ୍ଟ୍ରପତି ଭବନ। ସର୍ବୋଚ୍ଚ ପଦବୀର ମର୍ଯ୍ୟାଦାକୁ ଆଘାତ ଦେଇଛି, ଏହା ଗ୍ରହଣୀୟ ନୁହେଁ। କୌଣସି ବି କ୍ଷେତ୍ରରେ ରାଷ୍ଟ୍ରପତି ଥକିନାହାନ୍ତି।ଅବହେଳିତ ବର୍ଗଙ୍କ ବାବଦରେ କହିବା କଦାପି କ୍ଳାନ୍ତ ଆଣେନି।

Leave A Reply

Your email address will not be published.