Odisha Link
Bridging the Missing Links in Odisha

ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ-ଓଡ଼ିଶାକୁ ମିଳିବ ସବୁଠୁ ଅଧିକ ଲାଭ

ଓଏଲ୍ ବ୍ୟୁରୋ: ଖୋଲିଛି ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡି। ନିର୍ମଳାଙ୍କ ଆର୍ଥିକ ପେଡିରେ ରହିଛି ମଧ୍ୟବିତ୍ତଙ୍କ ଉପରେ ଫୋକସ। ବଜେଟକୁ ନେଇ ଆସିଛି ମିଶ୍ର ପ୍ରତିକ୍ରିୟା। ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଦେଖିଲେ ବଜେଟ ସନ୍ତୋଷଜନକ ବୋଲି ଅର୍ଥନୈତିଜ୍ଞ ପ୍ରତିକ୍ରିୟା ରଖିଥିବା ବେଳେ କେନ୍ଦ୍ର ସରକାର ଚତୁରତାର ସହ ବଜେଟ କରିଛନ୍ତି ବୋଲି କଂଗ୍ରେସ ନେତା ମତ ରଖୁଛନ୍ତି। ଏସବୁ ଭିତରେ ଓଡ଼ିଶାର ବିକାଶ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମତବ୍ୟକ୍ତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳିର ଏହା ଏକ ପୂର୍ଣ୍ଣାଙ୍ଗ ବଜେଟ। ବଜେଟରେ ନବଜାତ ଶିଶୁଠୁ ନେଇ ଯୁବକଙ୍କ ପାଇଁ ବ୍ୟବସ୍ଥା ରହିଛି। ନୂଆପୀଢ଼ିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ବଜେଟ୍‌ରେ ଶିକ୍ଷା, ସ୍ବାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଦେଶରେ ଶିଶୁଠୁ ନେଇ ଯୁବକ ପର୍ଯ୍ୟନ୍ତ ପ୍ରାୟ ୪୭% ଅଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଉତ୍କର୍ଷ ଓଡ଼ିଶାରେ ପ୍ରାୟ ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶର ପ୍ରତିବଦ୍ଧତା ରହିଛି।

କିଷାନ କାର୍ଡର ସୀମା ୩ ଲକ୍ଷରୁ ବୃଦ୍ଧି କରି ୫ ଲକ୍ଷକୁ କରାଯାଇଛି। ରାଜ୍ୟରେ ମାରିଟାଇମ୍‌ ଡେଭଲପମେଣ୍ଟରେ ୨୫ ହଜାର କୋଟିର ବ୍ୟବସ୍ଥା ହେବ। ଉଡାନ ଯୋଜନାରେ ବିମାନ ଉଡାଣ କ୍ଷେତ୍ରରେ ଅନେକ ସୁବିଧା ମିଳିବ। ବଜେଟରେ ରାଜ୍ୟର MSME ଇଣ୍ଡଷ୍ଟ୍ରିକୁ ଗୁରୁତ୍ବ ଦିଆଯାଇଛି। ପ୍ରଥମକରି ଉଦ୍ୟୋଗୀ ହୋଇଥିବା ଏସି ଏସଟି ମହିଳାଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିବ।ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଦିଗରେ ଦୃଷ୍ଟି ଦିଆଯିବ। ରାଜ୍ୟରେ ବିହନ ଆଧାରିତ ଅର୍ଥନୀତି ଉପରେ ଗୁରୁତ୍ବ। ଆୟକରରୁ ମଧ୍ୟମ ବର୍ଗୀୟ ଲୋକ ବିଶେଷ ଲାଭବାନ ହେବେ।

ଗୌତମ ବୁଦ୍ଧକୁ ନେଇ ଥିବା ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ହେବ। ଓଡ଼ିଶାକୁ ଏହାର ସବୁଠୁ ଅଧିକ ଲାଭ ମିଳିବ। ଓଡ଼ିଶାର ଯୁବକ ଯୁବତୀ ମୁଦ୍ରା ଋଣରୁ ଅଧିକ ଲାଭ ପାଉଛନ୍ତି। ୧୨ ଲକ୍ଷ ଟଙ୍କା ଯାଏ ଆୟକର ଛାଡ଼ କରାଯାଇଛି। ଓଡ଼ିଶାର ପ୍ରାୟ ସମସ୍ତ ମଧ୍ୟବର୍ଗୀୟ ଲୋକ ଲାଭ ପାଇବେ। ଟାୟାର -୨ ସିଟି ପାଇଁ କେନ୍ଦ୍ର ନୂଆ ପଲିସି ଆଣିବାକୁ ଯାଉଛନ୍ତି। ଏହାଦ୍ବାରା ଭୁବନେଶ୍ବର, ପୁରୀ, କଟକ ସହରର ଉନ୍ନତି ହେବ।ବାଲେଶ୍ବର, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହରର ଉନ୍ନତି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.