‘ମୋ ବସ୍’ ଧକ୍କାରେ ନାବାଳିକାର ମୃତ୍ୟୁ: ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲା କ୍ରୁଟ୍
ଓଏଲ୍ ବ୍ୟୁରୋ: ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ରଘୁନାଥପୁର ପାଖରେ ୫୪ ନମ୍ବର ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ନାବାଳିକା ୧୩ ବର୍ଷର ମୁନି ଜୁଆଡି। ସକାଳ ୮ଟା ପାଖାପାଖି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ପରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ମିଳିଲା ୨ ଲକ୍ଷ ଟଙ୍କାର କ୍ଷତିପୂରଣ। ସ୍ଥାନୀୟ ଅଞ୍ଚଳରେ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଛି। ଗମନାଗମନ ସ୍ୱଭାବିକ ହୋଇଛି।
ସୂଚନା ଅନୁସାରେ, ରଘୁନାଥପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ ରହି କାମ କରୁଥିବା ବାପା ରାମ ଜୁଆଡିଙ୍କୁ ଝିଅ ମୁନି ଜୁଆଡି। ଭୁବନେଶ୍ୱରରୁ ନନ୍ଦନକାନନ ଅଭିମୁଖେ ଆସୁଥିବା ମୋ ବସ୍ ସାଇକେଲରେ ଯାଉଥିବା ମୁନି ଜୁଆଡିକୁ ପଛ ପଟରୁ ଧକ୍କା ନେଇଥିଲା। ତାର ମୁଣ୍ଡରେ ବସ ଚଢିଯିବା ପରେ ଚାଳକ ସାଇକେଲ ସହିତ ଘୋଷାରି ୧୦୦ ମିଟର ଆଗକୁ ନନ୍ଦନକାନନ ଥାନା ପାଖ ପର୍ଯ୍ୟନ୍ତ ନେଇ ଯାଇଥିଲେ। ସେଠାରେ ବସ ରଖିବା ପରେ ନିଜେ ଚାଳକ ବସ ଭିତରେ ଫସି ରହିଥିବା ସାଇକେଲକୁ କାଢି ରାସ୍ତାରେ ଫିଙ୍ଗି ଦେବା ପରେ ନନ୍ଦନକାନନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ଜଣାଯାଇଛି।