Odisha Link
Bridging the Missing Links in Odisha

୨୧ରୁ ମାଟ୍ରିକ୍‌ ପରୀକ୍ଷା, ପ୍ରଶ୍ନପତ୍ର ବିଭ୍ରାଟ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ..

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୧ ତାରିଖରୁ ଆରମ୍ଭ ମାଟ୍ରିକ ପରୀକ୍ଷା। ଫେବ୍ରୁୟାରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍‌ ପରୀକ୍ଷା। ସମୁଦାୟ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମୁଦାୟ ୩୧୪ଟି ନୋଡାଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ୩୧୪ଟି ନୋଡାଲ ସେଣ୍ଟର ମଧ୍ୟରୁ ୨୧ଟି ଥାନାରେ କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବିଶେଷ ପଦକ୍ଷେପ ନିଆଯାଇଛି।

ବିଗତ କିଛି ବର୍ଷ ହେଲା ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ହେଉଥିବା ନେଇ ଖବର ଆସୁଛି। ଏହା ଦ୍ବାରା ଭଲ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିରାଶ ହେବାକୁ ପଡୁଛି। ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡ ବଡ଼ ପଦକ୍ଷେପ ନେଇଛି।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ଏଥିରେ ୱାଟର ମାର୍କ ଲାଗିବ। ବାର୍ କୋର୍ଡ ସହ ସିକ୍ୟୁରିଟି କୋର୍ଡ ମଧ୍ୟ ରହିବ। ଚଳିତବର୍ଷଠୁ ପ୍ରଶ୍ନପତ୍ରରେ ରହିବ ଓ୍ବାଟର ମାର୍କ। ଫଳରେ ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ତାହା ଜଣାପଡ଼ିବ। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍‌ଇ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବୃଆରୀ ୨୧ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହେବ। ୨୪ ତାରିଖରେ ଇଂରାଜୀ, ୨୭ ତାରିଖରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ। ପରୀକ୍ଷାର ସମୟ ସକାଳ ୯ରୁ ପୂର୍ବାହ୍ଣ ୧୧ଟା ୩୦ ଯାଏଁ ରହିଛି। ପରୀକ୍ଷାର୍ଥୀଙ୍କୁ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ ସମୟ ମିଳିବ। ଅର୍ଥାତ ଗଣିତ ପରୀକ୍ଷା ପୂର୍ବାହ୍‌ଣ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୫ମିନିଟରେ ସରିବ।

Leave A Reply

Your email address will not be published.