ଗନ୍ଧମାର୍ଦ୍ଦନ ସୁରକ୍ଷା ଚିନ୍ତା: ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ
![](https://www.odishalink.com/wp-content/uploads/2025/02/HILL.jpg)
ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ବଢିଛି ଗନ୍ଧମାର୍ଦ୍ଦନ ଜମି ବିବାଦ। ବଲାଙ୍ଗିର-ବରଗଡ଼ ଜିଲ୍ଲା ସୀମାନ୍ତ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଆଦାନୀ ଗ୍ରୁପ ଜମି କିଣିଛି। ଗୁଜରାଟର ଅହମଦାବାଦସ୍ଥିତ ଆଦାନୀ କର୍ପୋରେଟ୍ ହାଉସ ପକ୍ଷରୁ ‘ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ’ ନାଁରେ ସେଠି ଜମି କିଣାଯାଇଛି। ଆଉ ଏନେଇ ରାଜନୀତି ତେଜିବାରେ ଲାଗିଛି। ଏସବୁ ମଧ୍ୟରେ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।
ଗନ୍ଧମାର୍ଦ୍ଦନ ପରିଦର୍ଶନ କରି ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଗନ୍ଧମାର୍ଦ୍ଦନ ସହ ଐତିହାସିକ, ସାଂସ୍କୃତିକ, ଧାର୍ମିକ ଭାବାବେଗ ରହିଛି। ଏହାକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ। ଏଠାରେ ବକ୍ସାଇଟ୍, ଚୁନ ପଥର, ଗ୍ରେନାଇଟ୍ ଆଦି ଭରି ରହିଛି। ଅତୀତରେ କଂଗ୍ରେସ ସରକାର ୪୭ ବର୍ଷ ପାଇଁ ବାଲ୍କୋକୁ ଲିଜ୍ ଦେଇଛି। ଆପଣ ଗସ୍ତ କରି ଅନୁଧ୍ୟାନ କଲେ ଏହାର ସଂରକ୍ଷଣ ସମ୍ଭବ ହେବ ବୋଲି ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।