ବିବାଦରେ ବାରବାଟୀ ଲାଇଟ୍ ବନ୍ଦ ଘଟଣା: ବଡ଼ ବୟାନ ଦେଲେ ପୂର୍ବତନ ବିଧାୟକ..

ଓଏଲ୍ ବ୍ୟୁରୋ: ବାରବାଟୀ ପଡିଆରେ ଶେଷ ହୋଇଛି ଭାରତ ଇଂଲଣ୍ଡ ମ୍ୟାଚ। ହେଲେ ଶେଷ ହୋଇନି ବିବାଦ। ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନ ପାଇଁ ଐତିହାସିକ ବାରବାଟୀ ଷ୍ଟାଡ଼ିୟମକୁ ନେଇ ଦିନେ ଓଡ଼ିଶା ଗର୍ବ କରୁଥିବାବେଳେ ଏବେ ପରିଚାଳନାଗତ ତ୍ରୁଟି ଯୋଗୁ ବଦନାମ ହେବାକୁ ପଡ଼ିଛି। ଅନ୍ତର୍ଜାତୀୟ ମ୍ୟାଚ ସମୟରେ କେତେବେଳେ ପାଣି ବୋତଲ ଫିଙ୍ଗା ପାଇଁ ତ ଆଉ କେତେବେଳେ ମ୍ୟାଚ ଅଧାରୁ ଲାଇଟ୍ ଲିଭିଯିବା ଘଟଣା ବାରବାଟୀକୁ ଅନ୍ତର୍ଜାତୀୟ ଦୃଶ୍ୟପଟରେ ନିନ୍ଦିତ କରିଛି। ଏଭଳି ଏକ ଅଘଟଣ ରବିବାର ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜିତ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ସୃଷ୍ଟି ହୋଇଥିଲା।
ଭାରତୀୟ ଇନିଂସରେ ଗୋଟିଏ ଟାୱାର ଫ୍ଲଡ ଲାଇଟ୍ ଲିଭିଯିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡିଛି। ଏହି ଘଟଣାକୁ ନେଇ ଓସିଏ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲାଇଟ ବନ୍ଦ ହେବା ଯୋଗୁଁ ସାରା ବିଶ୍ବରେ ଓଡିଶା ନିନ୍ଦିତ ହେଲା। ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଛି ଓସିଏରେ। ରାଜ୍ୟ ସରକାର ହସ୍ତକ୍ଷେପ କରି ଓସିଏ ବୋର୍ଡକୁ ଭାଙ୍ଗି ଦେବା ଦରକାର। ଫ୍ଲଡ ଲାଇଟ୍ ବନ୍ଦ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରାଯାଉ। ଓସିଏରେ ହେଉଥିବା ଅନିୟମିତତା ଓ ଟିକେଟ କେଳେଙ୍କାରୀର ବି ତଦନ୍ତ ହେଉ। ବାରବାଟୀରେ ପାସ୍ ବ୍ୟବସ୍ଥାକୁ ବିରୋଧ କଲେ ପ୍ରକାଶ ବେହେରା। ଆବଶ୍ୟକ ପଡ଼ିଲେ ଅଦାଲତ ର ଦ୍ବାରସ୍ଥ ହେବାକୁ କହିଛନ୍ତି ପ୍ରକାଶ ବେହେରା।
ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡ଼ିୟମକୁ ୫ ବର୍ଷ ପରେ ଏକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ମିଳିଥିବାବେଳେ ଏଭଳି ଘଟଣା କ୍ରିକେଟ ପ୍ରେମୀଙ୍କ ଠାରୁ ଆୟୋଜକ ବିସିସିଆଇ କର୍ତ୍ତୃପକ୍ଷଙ୍କୁ ଅସନ୍ତୁଷ୍ଟ କରିଛି। ଯାହାକୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରୀଡ଼ା ବିଭାଗ। କାହିଁକି ଲାଇଟ୍ ବନ୍ଦ ହେଲା ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି। ୧୦ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ଭାରତୀୟ ଇନିଂସର ସପ୍ତମ ଓଭରରେ ଫ୍ଲଡ ଲାଇଟ ସମସ୍ୟା ସୃଷ୍ଟି ହୋଇଥିଲା। ଓସିଏ ପୁରୁଣା ପ୍ୟାଭିଲିୟନ ନିକଟରେ ଥିବା ଫ୍ଲଡ ଲାଇଟ୍ ଅଚଳ ହୋଇଯିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ସପ୍ତମ ଓଭର ଆରମ୍ଭରୁ ଫ୍ଳଡ ଲାଇଟ୍ ଲିଭିଯିବାରୁ ଖେଳ ଅଟକିଥିଲା। ଏହା ପରେ ଲାଇଟ୍ ଜଳିବାରୁ ଖେଳ ଆରମ୍ଭ ହୋଇଥିଲା। ଗୋଟିଏ ବଲ ପଡ଼ିବା ପରେ ପୁନର୍ବାର ଲାଇଟ୍ ଲିଭିଯାଇଥିଲା। ଉକ୍ତ ସମୟରେ ଭାରତର ସ୍କୋର ବିନା ୱିକେଟରେ ୪୮ରନ ରହିଥିଲା।
ଫ୍ଲଡ ଲାଇଟ୍ ସମସ୍ୟା ଲାଗି ମ୍ୟାଚକୁ ଦୁଇ ଅମ୍ପାୟାର ରୋକି ଦେଇଥିବାବେଳେ ଦୁଇ ଦଳର ଖେଳାଳି ପ୍ୟାଭିଲିୟନକୁ ଫେରି ଆସିଥିଲେ। ଏଥିପାଇଁ ପ୍ରାୟ ୨୬ ମିନିଟ୍ ଖେଳ ବାଧାପ୍ରାପ୍ତ ହୋଇଥିଳା। ସନ୍ଧ୍ୟା ୬ଟା୧୭ରୁ ୬ଟା ୪୩ ପର୍ଯ୍ୟନ୍ତ ଲାଇଟ୍ ଜଳିନଥିଲା। ଜେନେରେଟରରୁ ପାୱାର ଆସିବା ବନ୍ଦ ହୋଇଯିବାରୁ ଲାଇଟ୍ ଲିଭି ଯାଇଥିଲା। ନୂତନ ଜେନେରେଟର ଲାଗିବା ପରେ ଖେଳ ପୁନର୍ବାର ୬ଟା ୪୭ରୁ ଆରମ୍ଭ ହୋଇଥିଲା।