Odisha Link
Bridging the Missing Links in Odisha

‘ହୁଇସିଲ୍ ମାରିଲେ ବିଜେଡି ଭାଙ୍ଗିଯିବ, ନବୀନ ଭୟଭୀତ ହେଲେଣି’

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଛି ସନା ମହାକୁଡଙ୍କୁ ନବୀନଙ୍କ ତାଗିଦ୍ କରିବା ଘଟଣା। ବିଧାୟକ ଦଳ ବୈଠକରେ ଚମ୍ପୁଆ ବିଧାୟକ ଅନୁପସ୍ଥିତ ରହିବା ଆଉ ପରେ ପରେ, ସନା ମହାକୁଡଙ୍କୁ ନବୀନଙ୍କ ତାଗିଦ୍ କରିବା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଖୋଦ୍ ସନାତନ ମହାକୁଡଙ୍କ ପ୍ରତିକ୍ରିୟା। ସନାତନ କହିଛନ୍ତି, ନବୀନ ଆମ ଦଳର ମୁଖିଆ, ତେଣୁ ସେ ପଚାରିପାରିବେ। କାଲି ବିଧାୟକ ଦଳ ବୈଠକକୁ କାହିଁକି ଯାଇନଥିଲି ବୋଲି ସେ ପଚାରିଥିଲେ। ଯାହାର ଉତ୍ତରରେ ମୋ ଦେହ ଖରାପ ଯୋଗୁଁ ଯାଇନଥିଲି ବୋଲି ସେ କହିଥିଲେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ସେ ବିଜେଡିରେ ଅଛନ୍ତି, ଆଉ ରହିବେ ବୋଲି କହିଛନ୍ତି। ଏହାସହ ୨୦୨୯ ପର୍ଯ୍ୟନ୍ତ କେଉଁ ଦଳକୁ ଯାଇ ପାରିବି ନାହିଁ। ବିଜେପିକୁ ଯିବା ଚର୍ଚ୍ଚା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ମାଝୀ ଆମ ଜିଲ୍ଲାର। ତେଣୁ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେ ଭେଟିଛନ୍ତି। ଖାଲି ସେ ନୁହେଁ, ବିଜେଡିର ଆଉ ଦୁଇ ଜଣ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବୋଲି କହିଛନ୍ତି ସନାତନ ମହାକୁଡ।

ଅନ୍ୟପଟେ ଏହି ଘଟଣାରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ନବୀନ ଭୟଭୀତ ହେଇଗଲେଣି। କାଳେ ସବୁ ନେତା ବିଜେପିକୁ ପଳେଇବେ, ବୋଲି ସେ ଜାଣିସାରିଛନ୍ତି। ତେବେ ବିଜେପି କେନ୍ଦ୍ର ନେତୃତ୍ୱ ଚାହିଁଲେ, ବିଜେଡିକୁ ଖଣ୍ଡ ଖଣ୍ଡ କରିଦେବେ। ମୁଁ ଆଗରୁ ମଧ୍ୟ କହିଥିଲି ଯେ, ହୁଇସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ। ଏତେବର୍ଷ ଧରି ସେ କିଛି ବୁଝୁ ନଥିଲେ, ରାଜୁତି କରୁଥିଲେ; ତାର ଫଳ ଇଏ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

ସୂଚନା ଅନୁସାରେ, ଆଜି ବିଧାନସଭାରେ ପଶୁ ପଶୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ବିଧାୟକ ସନାତନ ମହାକୁଡ଼ଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ବିଧାୟକ ଦଳ ବୈଠକକୁ କାହିଁକି ସନାତନ ଆସିନଥିଲେ, ସେ ସଂକ୍ରାନ୍ତରେ ସିଧା ପଚାରିଛନ୍ତି ନବୀନ। ଅସୁସ୍ଥ ଥିବା କାରଣରୁ ବୈଠକରେ ଯୋଗଦେଇନଥିବା ସମ୍ପର୍କରେ ସନାତନଙ୍କ ସଫେଇ ନବୀନଙ୍କୁ ସନ୍ତୁଷ୍ଟ କରିନାହିଁ। ଏକାଧିକ ବାର ଏପରି ପ୍ରଶ୍ନ ପଚାରି ନବୀନ, ସନାତନଙ୍କୁ ଅପ୍ରସ୍ତୁତ କରି ପକାଇଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ନବୀନ ସିଧାସଳଖ ଅଭିଯୋଗ କରିଚନ୍ତି ଗତକାଲି ଯଦି ଅସୁସ୍ଥ ଥିଲ, ଆଜି ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିଛ କି ବୋଲି ପ୍ରଶ୍ନ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.