Odisha Link
Bridging the Missing Links in Odisha

ଧାନକିଣା ଅନିୟମିତତା: ସରକାରଙ୍କ କଡ଼ା ପଦକ୍ଷେପ, କଳା ତାଲିକାରେ ୨୬ଟି ମିଲ୍ ମାଲିକ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ପଞ୍ଚମ କାର୍ଯ୍ୟ ଦିବସ। ଗତକାଲି ବଜେଟ ଉପସ୍ଥାପନା ହୋଇଥିବାବେଳେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରିଥିବାବେଳେ ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖୁଛନ୍ତି। ଧାନ କିଣା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ସରକାର କଡ଼ା ପଦକ୍ଷେପ ନେଉଛନ୍ତି। ଯେଉଁମାନେ ଅନିୟମିତତା ପ୍ରଦର୍ଶନ କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଧାନକିଣା ପ୍ରକ୍ରିୟାରେ ଅନିୟମିତତା କାରଣରୁ ୨ ଜଣ ସମବାୟ ସମିତି କର୍ମଚାରୀ ଏବଂ ଜଣେ ବଜାର ନିୟନ୍ତ୍ରଣ କମିଟି କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ବୋଲି ଗୃହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ବିରୋଧୀ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଧାନ କିଣାରେ ଅସାଧୁ ଉପାୟ ଅବଲମ୍ବନ କରୁଥିବାରୁ ୬ ଜଣ ଧାନ କିଣା ଅଧିକାରୀଙ୍କୁ ଧାନ କିଣାରୁ ଅବ୍ୟାହତି ଦିଆଯାଇଛି। ୯ ଜଣ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ୮ଟି ଧାନ ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ୨୬ଟି ମିଲ ମାଲିକଙ୍କୁ କଳା ତାଲିକା ଭୁକ୍ତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମଣ୍ଡିରେ ଯେପରି କଟନି ଛଟନି ନହେବ, ସେଥିପାଇଁ ସରକାର କଡ଼ା ପଦକ୍ଷେପ ନେଉଛନ୍ତି। ଏଯାବତ୍ ରାଜ୍ୟରେ ମୋଟ ୬୧ ଲକ୍ଷ ୭୭ ହଜାର ୪୮୮ ମେଟ୍ରିକ ଟନ ଖରିଫ ଧାନ ସଂଗ୍ରହ ହୋଇଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.