ଇ-କେୱାଇସି କରିନାହାନ୍ତି ଲକ୍ଷାଧିକ ରାସନ୍କାର୍ଡ ହିତାଧିକାରୀ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ଆଜି ବିଧାନସଭାରେ ମିଶନ ଶକ୍ତି ମହିଳା ଏବଂ ମହିଳା ସୁରକ୍ଷାକୁ ନେଇ ପ୍ରବଳ ହଙ୍ଗାମା କରିଛନ୍ତି ବିରୋଧୀ। ମିଶନ ଶକ୍ତି ଇସି ପୁନର୍ଗଠନ ବନ୍ଦ ଦାବିରେ ବିଜେଡି ପ୍ରବଳ ହଟ୍ଟଗୋଳ କରିଥିବା ବେଳେ ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ଗର୍ଜିଛି କଂଗ୍ରେସ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମାର୍ଦ୍ଧରେ ଗୃହ ମାତ୍ର ୧ ମିନିଟ ଚାଲିପାରିଛି। ଗୃହରେ ଇ-କେୱାଇସି ଯାଞ୍ଚ ନେଇ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି।
ରାଜ୍ୟରେ ଗତ ୧୪ ତାରିଖ ସୁଦ୍ଧା ସର୍ବମୋଟ ୨,୯୯,୭୬,୮୫୨ ଜଣ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ସରିଯାଇଛି। ତନ୍ମଧ୍ୟରୁ, ରାଜ୍ୟ ଭିତରେ ଥାଇ ୨,୯୮,୪୦,୭୭୦ ନିଜର ଇ-କେୱାଇସି କରିଥିବା ବେଳେ ୧,୩୬,୧୯୨ ଜଣ ହିତାଧିକାରୀ ରାଜ୍ୟ ବାହାରେ ଇ-କେୱାଇସି କରିଛନ୍ତି। ତେବେ ସର୍ବମୋଟ ୩୨,୫୬,୪୬୫ ଜଣ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ହେଇପାରିନାହିଁ ବୋଲି ବିଧାନସଭାରେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ସମୟରେ, ବର୍ତ୍ତମାନ ସୁଦ୍ଧା ୩,୨୮,୯୩୨ ମୃତ ବ୍ୟକ୍ତିଙ୍କୁ ରାସନ କାର୍ଡ଼ ତଥ୍ୟାବଳୀରେ ଚିହ୍ନିତ କରାଯାଇ ବାଦ ଦିଆଯାଇଛି। ଯେଉଁମାନେ ବିଭିନ୍ନ କାରଣରୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇପାରି ନାହାନ୍ତି ସେମାନେ ଯଥାଶୀଘ୍ର ଡିଲର କେନ୍ଦ୍ରକୁ ଯାଇ ଯାଞ୍ଚ କରାଇନେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।