ଟିମ୍ ଇଣ୍ଡିଆ ଖେଳାଳିଙ୍କ ହାତରେ କଳା ଆର୍ମ ବ୍ୟାଣ୍ଡ, ଜାଣନ୍ତୁ କାହିଁକି ପିନ୍ଧିଛନ୍ତି..

ଓଏଲ୍ ବ୍ୟୁରୋ: ଭାରତ ଅଷ୍ଟ୍ରେଲିଆ ମହାମୁକାବିଲା ଆରମ୍ଭ ହୋଇଛି। ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ପ୍ରଥମେ ଫିଲ୍ଡିଂ କରୁଛି ଭାରତ। ଆଜିର ମ୍ୟାଚ୍ ଆରମ୍ଭରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ହାତରେ କଳା ରଙ୍ଗର ଆର୍ମ ବ୍ୟାଣ୍ଡ ପିନ୍ଧିଥିବାର ଦେଖିବାକୁ ମିଳିଛି। ଗତକାଲି ଭାରତର କିମ୍ବଦନ୍ତୀ କ୍ରିକେଟର ପଦ୍ମାକର ଶିବଲକରଙ୍କ ପରଲୋକ ହୋଇଥିଲା। ତାଙ୍କୁ ସମ୍ମାନ ଜଣାଇ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଖେଳାଳି ମାନେ କଳା ଆର୍ମ ବ୍ୟାଣ୍ଡ ପରିଧାନ କରିଛନ୍ତି।
ମୁମ୍ବାଇର ମହାନ ସ୍ପିନର ପଦ୍ମାକର ଶିବଲକରଙ୍କ ଦେହାନ୍ତ ହୋଇଛି। ପଦ୍ମାକର ଶିବଲକରଙ୍କ ବୟସ ୮୪ ବର୍ଷ ଥିଲା। ବୟସ ଜନିତ ସମସ୍ୟା ଯୋଗୁଁ ତାଙ୍କର ୩ ମାର୍ଚ୍ଚରେ ମୁମ୍ବାଇରେ ମୃତ୍ୟୁ ହୋଇଛି। ପଦ୍ମାକର ଶିବଲକର ବହୁ ବର୍ଷ ଧରି ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳିଥିଲେ ଓ ୫୦୦ରୁ ଅଧିକ ୱିକେଟ୍ ନେଇଥିଲେ।
ପଦ୍ମାକର ଶିବଲକର ଜଣେ ବାମହାତୀ ସ୍ପିନର ଥିଲେ। ସେ ୨୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ ଏବଂ ୪୮ ବର୍ଷ ବୟସ ପର୍ଯ୍ୟନ୍ତ ଖେଳିଥିଲେ। ଶିବଲକର ୧୯୬୧-୬୨ ଏବଂ ୧୯୮୭-୮୮ ମଧ୍ୟରେ ମୋଟ ୧୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ ଏବଂ ୧୯.୬୯ ର ପ୍ରଭାବଶାଳୀ ବୋଲିଂ ହାରରେ ୫୮୯ ୱିକେଟ୍ ନେଇଥିଲେ। ଏହି ସମୟ ମଧ୍ୟରେ, ସେ ୪୨ ଥର ୫ ୱିକେଟ୍ ଏବଂ ୧୩ ଥର ୧୦ ୱିକେଟ୍ ନେବାର ମହାନ ସଫଳତା ହାସଲ କରିଥିଲେ।
ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ସତ୍ତ୍ୱେ, ସେ କେବେ ଭାରତୀୟ ଦଳ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରି ନଥିଲେ। ଶିବଲକର ମଧ୍ୟ ୧୨ଟି ଲିଷ୍ଟ ଏ ମ୍ୟାଚ୍ ଖେଳି ୧୬ଟି ୱିକେଟ ନେଇଥିଲେ। ତାଙ୍କୁ ୨୦୧୭ ମସିହାରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଦ୍ୱାରା CK ନାୟୁଡୁ ‘ଲାଇଫଟାଇମ୍ ସାଧନା’ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା।