ଆସନ୍ତାକାଲିଠୁ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ

ଓଏଲ୍ ବ୍ୟୁରୋ: ଆସନ୍ତାକାଲିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ। ଏହି ଲମ୍ବା ଅବଧି ଭିତରେ ଗୃହରେ ଏକାଧିକ ପ୍ରସଙ୍ଗକୁ ନେଇ ଶାସକ ବିଜେପିକୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି।
ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ପ୍ରତିବର୍ଷ ମାର୍ଚ୍ଚ ୫ରେ ପାଳନ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସ ଚଳିତ ବର୍ଷ ବନ୍ଦ କରାଯିବା ଘଟଣାକୁ ନେଇ ସରକାରଙ୍କୁ ବିଜେଡି ଘେରିବାର ସମ୍ଭାବନା ରହିଛି। କଂଗ୍ରେସ ମଧ୍ୟ ଆଇନ ଶୃଙ୍ଖଳା, ଏସଆଇ ପରୀକ୍ଷା ପରିଚାଳନା ଦାୟିତ୍ବ ପ୍ରଦାନରେ ଦୁର୍ନୀତିକୁ ପ୍ରସଙ୍ଗ କରିପାରେ।
ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଫେବୃଆରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମ ପର୍ଯ୍ୟାୟ ସ୍ବଳ୍ପକାଳୀନ ଅଧିବେଶନରେ ସରକାର ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବଜେଟ ଉପରେ ଆଲୋଚନା ଶେଷ ହେବା ପରେ ବାଚସ୍ପତି ଗୃହକୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ତେବେ ଆସନ୍ତାକାଲିଠୁ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ।