ବିଜୁବାବୁଙ୍କ ଜୟନ୍ତୀରେ ଛୁଟି ବାତିଲ ପ୍ରସଙ୍ଗ: ପ୍ରତିବାଦରେ ବିଜେଡି

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି। ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ।
ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଅପ୍ରେଲ ୨୪ ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ବିଜେଡି ପ୍ରତିବାଦ ଆରମ୍ଭ କରିଛି। ବିଜୁବାବୁଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ନେଇ କଟକରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଉଛି। ବିଜୁବାବୁଙ୍କ ଜୟନ୍ତୀରେ ଛୁଟି ଘୋଷଣା ନହେବାରୁ ରାଜନୀତି ବଢ଼ିବାରେ ଲାଗିଛି।
ଅନ୍ୟପଟେ, ନବୀନ କହିଛନ୍ତି, ବିଜୁ ବାବୁ ଥିଲେ ଟଲ୍ ମ୍ୟାନ, ଲାର୍ଜ ହାର୍ଟ। କିନ୍ତୁ ତାଙ୍କ ଲିଗାସିକୁ ଲିଭାଇବାକୁ ଚାହୁଁଛନ୍ତି ରାଜ୍ୟର ବିଜେପି ସରକାର। ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ୩୦ ବର୍ଷ ଧରି ରାଜ୍ୟ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛନ୍ତି। ଏବେ କିନ୍ତୁ ବିଜେପି ସରକାର ପଞ୍ଚାୟତିରାଜ ଦିବସକୁ ବଦଳାଇ ଦେଲେ। କିନ୍ତୁ ଲୋକଙ୍କ ହୃଦୟକୁ ପରିବର୍ତ୍ତନ କରିପାରିବ ନାହିଁ। ପାରାଦୀପ ପୋର୍ଟ ବଦଳାଇ ପାରିବ କି ସୁନାବେଡା ହାଲ୍ କୁ ବନ୍ଦ କରିପାରିବେ କି, ଏନଟିପିସି ବନ୍ଦ କରିପାରିବେ କି। ଏହା ଛୋଟ ଚିନ୍ତାଧାରା ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
ଦୁର୍ଭାଗ୍ୟଜନକ ଯେ ବିଜେପି ଶାସନକୁ ଆସିବା ପରେ କ୍ରୀଡା ସମ୍ମାନ ନାଁ ବଦଳାଇ ବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନ ବନ୍ଦର ନାଁ ବଦଳାଇ ବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରାପଡ଼ିଲାନି।
ଏହାସହ ନବୀନ କହିଛନ୍ତି, ବିଜୁ ବାବୁ ରାଜନୀତିକୁ ଆସିଥିଲେ ଲୋକଙ୍କ ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା UNESCO କଳିଙ୍ଗ ପୁରସ୍କାର କଥା ହେଉ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ ବିଜୁ ବାବୁ। ତାଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ। ଇତିହାସ ବଦଳାଇବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି। ଲୋକେ ଏହାର ଜବାବ ଦେବେ। ଇତିହାସ ହେଉଛି ସମୟର ଖୋଲା ବହି। ସରକାର ଆସିବ ଯିବ, କିନ୍ତୁ ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ। ଓଡ଼ିଆ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।