ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ, ଭାରତ ବିଶ୍ୱର ପଞ୍ଚମ ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର

ଓଏଲ୍ ବ୍ୟୁରୋ: ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ମଙ୍ଗଳବାର ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରମୁଖ ୨୦ଟି ପ୍ରଦୂଷିତ ସହର ମଧ୍ୟରୁ ୧୩ଟି ଭାରତରେ ଥିବାବେଳେ ଆସାମର ବିରନୀହାଟ ଏହି ତାଲିକାର ଶୀର୍ଷରେ ରହିଛି। ସୁଇସ୍ ଏୟାର କ୍ୱାଲିଟି ଟେକ୍ନୋଲୋଜି କମ୍ପାନି ଆଇକ୍ୟୁଏୟାର ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୪ରେ କୁହାଯାଇଛି ଯେ, ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ହୋଇଥିବା ବେଳେ ୨୦୨୪ରେ ଭାରତ ବିଶ୍ୱର ପଞ୍ଚମ ସର୍ବାଧିକ ପ୍ରଦୂଷିତ ଦେଶ ଭାବେ ସ୍ଥାନ ପାଇଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୪ରେ ଭାରତରେ ପିଏମ୍ ୨.୫ ସାନ୍ଦ୍ରତାରେ ୭ ପ୍ରତିଶତ ହ୍ରାସ ଘଟିଛି, ଯାହା କି ୨୦୨୩ରେ ୫୪.୪ ମାଇକ୍ରୋଗ୍ରାମ୍ ପ୍ରତି ଘନମିଟର ତୁଳନାରେ ହାରାହାରି ୫୦.୬ ମାଇକ୍ରୋଗ୍ରାମ୍ ରହିଛି। ତଥାପି ବିଶ୍ୱର ୧୦ଟି ପ୍ରଦୂଷିତ ସହର ମଧ୍ୟରୁ ୬ଟି ଭାରତରେ ରହିଛି। ଦିଲ୍ଲୀ କ୍ରମାଗତ ଭାବେ ଉଚ୍ଚ ପ୍ରଦୂଷଣ ସ୍ତରରେ ରେକର୍ଡ କରିଛି। ଏଠାରେ ବାର୍ଷିକ ହାରାହାରି ପିଏମ୍ ୨.୫ ସାନ୍ଦ୍ରତା ଘନମିଟର ପିଛା ୯୧.୬ ମାଇକ୍ରୋଗ୍ରାମ୍, ଯାହା କି ୨୦୨୩ରେ ଘନମିଟର ପିଛା ୯୨.୭ ମାଇକ୍ରୋଗ୍ରାମ୍ ତୁଳନାରେ ପ୍ରାୟ ଅପରିବର୍ତ୍ତିତ ରହିଛି।
ବିଶ୍ୱର ପ୍ରମୁଖ ୨୦ ପ୍ରଦୂଷିତ ସହର ମଧ୍ୟରେ ଥିବା ୧୩ଟି ଭାରତୀୟ ସହର ହେଉଛି- ବରନୀହାଟ, ଦିଲ୍ଲୀ, ମୁଲ୍ଲାନପୁର (ପଞ୍ଜାବ), ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗାନଗର, ଗ୍ରେଟର ନଏଡା, ଭିୱାଡି, ମୁଜାଫରନଗର, ହନୁମାନଗଡ଼ ଓ ନଏଡା। ମୋଟାମୋଟି ଭାବେ ୩୫ ପ୍ରତିଶତ ଭାରତୀୟ ସହରରେ ବାର୍ଷିକ ପିଏମ୍ ୨.୫ ସ୍ତର ଘନମିଟର ପିଛା ୫ ମାଇକ୍ରୋଗ୍ରାମ୍ର ‘ହୁ’ ସୀମାଠାରୁ ୧୦ ଗୁଣ ଅଧିକ ରହିଛି।