ପରଲୋକରେ ଦେବେନ୍ଦ୍ର ପ୍ରଧାନ, ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନ। ପୂର୍ବାହ୍ନ ୧୦.୩୦ ସମୟରେ ପରଲୋକ ହୋଇଥିବା ସୂଚନା ରହିଛି। ଦିଲ୍ଲୀ ସ୍ଥିତ ବାସଭବନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ହୋଇଛି। ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦେବେନ୍ଦ୍ର ପ୍ରଧାନ। ୧୯୮୮ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଥିଲେ ଦେବେନ୍ଦ୍ର। ୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ। ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ। ୧୯୯୮ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଦେବେନ୍ଦ୍ରଙ୍କୁ ଶେଷ ଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ। ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।
ରାଜ୍ୟର ବିକାଶ ପାଇଁ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି। ରାଜ୍ୟ ବିଜେପିର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ସେବା ଓ ସଂକଳ୍ପ ମନୋଭାବରେ ସେ ରାଜ୍ୟର ବିକାଶ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ। ଏହି ବର୍ଷିୟାନ ବ୍ୟକ୍ତିତ୍ୱଙ୍କ ବିୟୋଗ ଯୋଗୁ ଦେଶ ତଥା ରାଜ୍ୟ ଜଣେ ବିଶିଷ୍ଟ ଜନସେବକଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ। ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ନିଜର ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି।